୧୩ ମାସରେ ୩ଥର ଆକ୍ରାନ୍ତ ହେଲେଣି ଏହି ମହିଳା ଡାକ୍ତର

ମୁମ୍ବାଇ,୨୮।୭: ମହାରାଷ୍ଟ୍ରର ମୁମ୍ବାଇରେ କରୋନା ପ୍ରକୋପ ଜାରି ରହିଛି। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟରେ ମୁମ୍ବାଇରେ ରହୁଥିବା ୨୬ବର୍ଷୀୟ ଡାକ୍ତର ଗତ ୧୩ ମାସ ମଧ୍ୟରେ ୩ଥର କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା ସେ କରୋନା ଟିକାର ୨ଟି ଡୋଜ ମଧ୍ୟ ନେଇସାରିଛନ୍ତି। ବର୍ତ୍ତମାନ ବିଏମ୍‌ସି ପକ୍ଷରୁ ସମସ୍ତ ଡାକ୍ତରଙ୍କ ନମୁନା ନିଆଯାଇ ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ଗୋଟିଏ ପଟେ ୨୬ବର୍ଷୀୟ ଡା. ସୃଷ୍ଟି ହଲାରି କରୋନା ନେଇ ରୋଗୀଙ୍କୁ ସଚେତନ କରୁଥିବା ବେଳେ ଅନ୍ୟପଟେ ସେ ଲଗାତର ଭାବେ ୩ଥର ଏଥିରେ ଆକ୍ରାନ୍ତ ହୋଇସାରିଲେଣି। କରୋନାର ସମସ୍ତ ପ୍ରୋଟେକଲ୍‌ ପାଳନ କରି ମଧ୍ୟ ସେ ଓ ତାଙ୍କ ପରିବାର ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ଟିକା ନେଇଥିବାରୁ ତାଙ୍କୁ କରୋନା ଅତ୍ୟଧିକ କ୍ଷତି ପହଞ୍ଚାଇ ପାରିନାହିଁ। ସୂଚନା ମୁତାବକ ସୃଷ୍ଟି ପ୍ରଥମେ ୨୦୨୦ ଜୁନ ୧୭ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ୨୦୨୧ ମେ ୨୯ ଏବଂ ଜୁଲାଇ ୧୧ରେ ପୁଣି ଥରେ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପ୍ରଥମଥର କରୋନା ତାଙ୍କୁ ବେଶୀ ପ୍ରଭାବ ପକାଇ ନ ଥିବା ବେଳେ ଦ୍ୱିତୀୟ ଓ ତୃତୀୟରେ ତାଙ୍କୁ ବହୁ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥିଲା। ମୁଣ୍ଡ ବ୍ୟଥା, ଆଖି ଦରଜ, ଶରୀର ପୀଡ଼ା ଭଳି ଆଦି ସମସ୍ୟା ଦେଖାଦେଇଥିଲା ବୋଲି ସୃଷ୍ଟି କହିଛନ୍ତି। ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି। କୋଭିଡ ଟିକା ନେବା ପରେ କରୋନା ଗୁରୁତର କ୍ଷତି ପହଞ୍ଚାଉ ନ ଥିବା ବେଳେ ଲୋକଙ୍କୁ ପୁଣି ଥରେ ସଂକ୍ରମିତ କରିବ ନାହିଁ ତାହା କହିହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Share