Categories: ଜାତୀୟ

୧୦ ଦିନରେ ୨୦ କେଜି କୋଭିଡ୍‌ ଔଷଧ ସଂଗ୍ରହ କଲେ ଡାକ୍ତର ଦମ୍ପତି

ମୁମ୍ବାଇ,୧୨।୫: ମୁମ୍ବାଇର ଏକ ଡାକ୍ତର ଦମ୍ପତି କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କଠାରୁ ଔଷଧ ସଂଗ୍ରହ କରି ଗରୀବ କରୋନା ଆକ୍ରାନ୍ତଙ୍କୁ ବାଣ୍ଟୁଛନ୍ତି। ଡ. ମାର୍କସ ରାନ୍ନି ଓ ତାଙ୍କ ପତ୍ନୀ ଡ. ରାଇନା ଚଳିତ ମାସ ୧ ତାରିଖରେ ଅବ୍ୟବହୃତ ମେଡିସିନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଆଉ ଏବେ ଏନ୍‌ଜିଓ ମାଧ୍ୟମରେ ଦେଶର ବିଭିନ୍ନ ଗ୍ରାମାଞ୍ଚଳକୁ ପଠାଉଛନ୍ତି କୋଭିଡ୍‌ ଔଷଧ।

ଆମେ ୧୦ ଦିନ ତଳେ ଔଷଧ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଥିଲୁ। ହାଉସିଂ ସୋସାଇଟିରୁ ସଂଗ୍ରହ କରି ଏହାକୁ ଯେଉଁମାନେ କିଣିପାରିବେ ନାହିଁ ସେମାନଙ୍କୁ ବାଣ୍ଟୁଛୁ। ଆମ ଷ୍ଟାଫଙ୍କ ପରିବାର ସଦସ୍ୟ ଆକ୍ରାନ୍ତ ହେବା ପରେ ମନକୁ ଆସିଥିଲା ଏହି ଯୋଜନା। କୋଭିଡ୍‌-୧୯ ଔଷଧ ପାଇଁ ଅତ୍ୟଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ସେହି ସମୟରେ ସୁସ୍ଥ ହୋଇଥିଲେ କିଛି କରୋନା ଆକ୍ରାନ୍ତ। ଏଣୁ ସେମାନଙ୍କ ଠାରୁ ମେଡିସିନ ନେଇ ଦରକାର ଥିବା ଲୋକଙ୍କୁ ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲୁ। ପଡ଼ୋଶୀ ବିଲ୍ଡିଂର ୭ରୁ ୮ ଜଣଙ୍କ ସହାୟତାରେ ଏକ ଟିମ୍‌ କରିଥିଲୁ। ଗରୀବ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ଆମର ଏକମାତ୍ର ଲକ୍ଷ୍ୟ ବୋଲି ଡ. ରାଇନା କହିଛନ୍ତି।

ମାତ୍ର ୧୦ ଦିନ ମଧ୍ୟରେ ଏହି ଦମ୍ପତି ୨୦ କେଜି ଅବ୍ୟବହୃତ କୋଭିଡ୍‌ ଔଷଧ ସଂଗ୍ରହ କରିଛନ୍ତି। ଏହାକୁ ଦେଶର ବିଭିନ୍ନ ଜିଲାର ଗ୍ରାମାଞ୍ଚଳର ହେଲ୍‌ଥ କେୟାର ସେଣ୍ଟରକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଦିଆଯିବ ବୋଲି ଦମ୍ପତି ସୂଚନା ଦେଇଛନ୍ତି।

Share