ମୁମ୍ବାଇ,୨୬।୩: ମୁମ୍ବାଇର ଏକ ମଲ୍ରେ ଥିବା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୭୦ ରୋଗୀଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଗୁରୁବାର ମଧ୍ୟରାତ୍ରୀରେ କିଛି ସମୟ ପରେ ଭାଣ୍ଡୁପ ଅଞ୍ଚଳର ଡ୍ରିମ୍ସ ମଲରେ ଥିବା ସନରାଇଜ୍ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି ହସ୍ପିଟାଲ ପାଞ୍ଚ ମହଲା ମଲ୍ର ତୃତୀୟ ମହଲାରେ ଅବସ୍ଥିତ। କୋଭିଡ-୧୯ ରୋଗୀଙ୍କ ବ୍ୟତୀତ ଅନ୍ୟ ଅନେକ ରୋଗୀମାନେ ମଧ୍ୟ ଦୁର୍ଘଟଣା ସମୟରେ ଡାକ୍ତରଖାନାରେ ଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବାବେଳେ ଅମ୍ଳଜାନ ସିଲିଣ୍ଡର ବିସ୍ଫୋରଣ ହେତୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି। ୨୦ଟି ଫାୟାର ଇଞ୍ଜିନ ଏବଂ ୧୫ଟି ୱାଟର ଟ୍ୟାଙ୍କରରେ ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ। ସୂଚନାଯୋଗ୍ୟ, ୭୬ ଜଣ କରୋନା ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।