ଗୁଜରାଟକୁ ୧୭୮ର ଟାର୍ଗେଟ ଦେଲା ମୁମ୍ବାଇ

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଆରମ୍ଭ କରିଥିଲେ ହେଁ ଏହାର ଇନିଂସକୁ ୨୦ ଓଭରରେ ୧୭୭/୬ରେ ସୀମିତ ରଖିଛି ଗୁଜରାଟ ଟାଇଟାନ୍ସ। ରଶିଦ ଖାଁଙ୍କ ପ୍ରଭାବୀ ବୋଲିଂ ଗୁଜରାଟକୁ ସଫଳ ପ୍ରତ୍ୟାବର୍ତ୍ତନ କରାଇବାରେ ସହାୟକ ହୋଇଛି। ମିଡିଲ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ପରେ ଟିମ୍‌ ଡାଭିଡଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ମୁମ୍ବାଇ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଛି।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ମୁମ୍ବାଇର ଆରମ୍ଭ ଭଲ ରହିଥିଲା। ଅଧିନାୟକ ରୋହିତ ଶର୍ମା ଓ ଇଶାନ କିଶନ ବିସ୍ଫୋରକ ବ୍ୟାଟିଂ କରି ଦଳର ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ଦୁହେଁ ୪୫ ବଲ୍‌ରୁ ଓପନିଂ ଯୋଡ଼ିରେ ଦ୍ରୁତ ୭୪ ରନ ସଂଗ୍ରହ କରିଥିଲେ। ୮ମ ଓଭରର ତୃତୀୟ ବଲ୍‌ରେ ରୋହିତଙ୍କୁ ଏଲବିଡବ୍ଲ୍ୟୁ ଆଉଟ କରି ଗୁଜରାଟକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ତାରକା ସ୍ପିନର ରଶିଦ ଖାଁ। ଅମ୍ପାୟର ନଟ୍‌ଆଉଟ ଦେଇଥିଲେ ହେଁ ରଶିଦ ରିଭ୍ୟୁ ନେଇ ସଫଳତା ପାଇଥିଲେ। ବଡ଼ ସ୍କୋର ଲକ୍ଷ୍ୟରେ ଥିବା ରୋହିତ ୨୮ ବଲ୍‌ରୁ ୫ ଚୌକା ଓ ୨ ଛକା ସହାୟତାରେ ୪୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ନିର୍ଭରଯୋଗ୍ୟ ସୂର୍ଯ୍ୟକୁମାର ଯାଦବ ୧୧ ବଲ୍‌ରୁ ମାତ୍ର ୧୩ (୧ ଛକା) ରନକରି ଆଉଟ ହେବା ମୁମ୍ବାଇକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। କିଶନ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲେ ହେଁ ୨୯ ବଲ୍‌ରୁ ୪୫ (୫ ଚେସକା, ୧ ଛକା) ରନ କରିଥିବାବେଳେ ଆଲଜାରି ଜୋସେଫଙ୍କ ବଲ୍‌ରେ ରଶିଦ ଖାଁଙ୍କୁ କ୍ୟାଚ ଦେଇ କ୍ରିଜ୍‌ ଛାଡ଼ିଥିଲେ। ଭେଟେରାନ କିରନ ପୋଲାର୍ଡ ଏଠାରେ ଏକ ବଡ଼ ଇନିଂସ ଖେଳିବା ଆଶା କରାଯାଉଥିଲା। ମାତ୍ର ତାଙ୍କର ଖରାପ ପ୍ରଦର୍ଶନ ଜାରି ରହିଥିଲା ଏବଂ ସେ ୧୪ ବଲ୍‌ରୁ ମାତ୍ର ୪ ରନକରି ଆଉଟ ହୋଇଥିଲେ। ତିଳକ ବର୍ମା ଭଲ ଆରମ୍ଭ କରିଥିଲେ ହେଁ ୧୬ ବଲ୍‌ରୁ ୨୧ ରନକରି ରନ୍‌ଆଉଟ ହୋଇ ଯାଇଥିଲେ। ଡାନିଏଲ୍‌ ସାମ୍ସ ଖାତା ଖୋଲିପାରି ନ ଥିବାବେଳେ ଶେଷ ଭାଗରେ ଟିମ୍‌ ଡାଭିଡ କେତେକ ଦର୍ଶନୀୟ ଶଟ୍‌ ଖେଳିବାରୁ ମୁମ୍ବାଇ ସ୍କୋର ୧୭୭ରେ ପହଞ୍ଚତ୍ ପାରିଥିଲା। ମାତ୍ର ୨୧ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଡାଭିଡ ୨ ଚୌକା ଓ ୪ ଛକା ସହାୟତାରେ ୪୪ ରନକରି ଅପରାଜିତ ରହିଥିଲେ। ଗୁଜରାଟ ପକ୍ଷରୁ ରଶିଦ ଖାଁ ୨ଟି ଏବଂ ଆଲଜାରି ଜୋସେଫ, ଲୋକି ଫର୍ଗୁସନ ଓ ପ୍ରଦୀପ ସଙ୍ଗଓ୍ବନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୭୭/୬ (ଇଶାନ କିଶନ-୪୫, ଟିମ୍‌ ଡାଭିଡ-୪୪*, ରୋହିତ ଶର୍ମା-୪୩, ତିଳକ ବର୍ମା-୨୧, ରଶିଦ ଖାଁ-୨/୨୪, ଆଲଜାରି ଜୋସେଫ-୧/୪୧, ପ୍ରଦୀପ ସଙ୍ଗଓ୍ବନ-୧/୨୩, ଲୋକି ଫର୍ଗୁସନ-୧/୩୪)।

Share