ଆବୁଧାବି, ୧୯।୯: ଆଇପିଏଲ୍ର ୧୩ତମ ସଂସ୍କରଣ ଶନିବାରଠାରୁ ୟୁଏଇରେ ଆରମ୍ଭ ହୋଇଛି। ଆବୁଧାବିର ଶେଖ୍ ଜାୟେଦ ଷ୍ଟାଡିୟମରେ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଛି। ଡିଫେଣ୍ଡିଂ ଚାମ୍ପିୟନ ତଥା ତାରକା ଖଚିତ ମୁମ୍ବାଇ ପକ୍ଷରୁ ସୌରଭ ତିଓ୍ବାରୀ ସର୍ବାଧିକ ୪୨ ରନ କରିଥିବାବେଳେ କ୍ୱିଣ୍ଟନ ଡି କକ୍ (୩୩) ଉପଯୋଗୀ ଇନିଂସ ଖେଳିଥିଲେ। ତେବେ ଅଧିନାୟକ ରୋହିତ୍ ଶର୍ମା (୧୨), ହାର୍ଦ୍ଦିକ ପାଣ୍ଡ୍ୟା (୧୪), କିରନ ପୋଲାର୍ଡ(୧୮), ସୂର୍ଯ୍ୟକୁମାର ଯାଦବ (୧୭), କ୍ରୁନାଲ ପାଣ୍ଡ୍ୟା (୩) ପ୍ରମୁଖ ଆଖିଦୃଶିଆ ବ୍ୟାଟିଂ କରିପାରି ନ ଥିଲେ। ପ୍ରତିପକ୍ଷ ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ଲୁନ୍ଗୀ ଏନ୍ଗିଡି ୩ଟି ଏବଂ ଦୀପକ ଚହର ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ଉଇକେଟ୍ ନେଇଥିଲେ। ଲେଗ୍-ସ୍ପିନର ପିୟୂଷ ଚାଓ୍ବଲା (୪-୦-୨୧-୧) ମଧ୍ୟ କଞ୍ଜୁସୀ ବୋଲିଂ କରିଥିଲେ।