Categories: ଖେଳ

ମୁମ୍ବାଇ ଇଣ୍ଡିଆନ୍ସର ସହଜ ବିଜୟ

ମୁମ୍ବାଇ,୯ା୩ : ଡକ୍ଟର ଡି. ଓ୍ବାଇ. ପାଟିଲ ସ୍ପୋଟର୍‌ସ ଏକାଡେମିରେ ଗୁରୁବାର ଖେଳାଯାଇଥିବା ମହିଳା ପ୍ରିମିୟର୍‌ ଲିଗ୍‌ରେ ୭ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୮ ଉଇକେଟରେ ବିଜୟୀ ହୋଇଛି।

ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୦୫ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ତୃତୀୟ ବିଜୟ ସହ ୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି।

ମୁମ୍ବାଇ ଇଣ୍ଡିଆନ୍ସର ପର୍ପଲ କ୍ୟାପଧାରୀ ସାଇକା ଇସାକ ଓ ଇସି ୟଙ୍ଗଙ୍କ ଘାତକ ବୋଲିଂ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୩୧ ରନ୍‌ରେ ୩ ଉଇକେଟ ହରାଇଥିଲା। ଅଧିନାୟିକା ମେଗ୍‌ ଲାନିଙ୍ଗ(୪୩) ଓ ଜେମିମା ରୋଡ୍ରିଗୁଏଜ୍‌(୨୫) ଚତୁର୍ଥ ଉଇକେଟରେ ୩୪ ବଲ୍‌ରୁ ୫୦ ରନ୍‌ ଯୋଡିଥିଲେ। ଲାନିଙ୍ଗ ୪୧ ବଲ୍‌ ଖେଳି ୫ ଚୌକା ମାରିଥିବା ବେଳେ ଜେମିମା ୧୮ ବଲ୍‌ ଖେଳି ୩ ଚୌକା ମାରିଥିଲେ। ୧୩ ତମ ଓଭର ବୋଲିଂ କରିବାକୁ ଆସିଥିବା ସାଇକା ମାତ୍ର ୪ ବଲ୍‌ ବ୍ୟବଧାନରେ ଉଭୟ ଖେଳାଳିଙ୍କୁ ଆଉଟ କରି ବିପର୍ଯ୍ୟୟ ଘଟାଇଥିଲେ। ୮୧ ରନରେ ୩ ଉଇକେଟ ହରାଇଥିବା କ୍ୟାପିଟାଲ୍ସ ୨୪ ରନ୍‌ରେ ୭ ଉଇକେଟ ହରାଇବ ୧୮ ଓଭରରେ ୧୦୫ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଇସି ୟଙ୍ଗ ୧୦ ରନ୍‌ରେ ୩ ଉଇକେଟ ନେଇଥିବା ବେଳେ ସାଇକା ୧୩ ଓ ହିଲି ମାଥ୍ୟୁସ୍‌ ୧୯ ରନ୍‌ରେ ୩ ଉଇକେଟ ନେଇଥିଲେ। ୧୦୬ ରନ୍‌ ଜବାବରେ ୟାସ୍ତିକା ଭାଟିଆ ୪୧ ଓ ହିଲି ମାଥ୍ୟୁସ ୩୨ ପ୍ରଥମ ଉଇକେଟରେ ୬୫ ରନ୍‌ ଯୋଡିଥିଲେ। ୟାସ୍ତିକା ୩୨ ବଲ୍‌ ଖେଳି ୮ ଚୌକା ମାରିଥିଲେ। ମାଥ୍ୟୁସ୍‌ ୩୧ ବଲ୍‌ ଖେଳି ୬ ଚୌକା ମାରିଥିଲେ। ନାଟାଲି ସ୍କିଭର ବ୍ରଣ୍ଟ ୨୩ ଓ ହରମନପ୍ରୀତ କୌର ୧୧ ରନ୍‌ କରି ଦଳକୁ ବିଜୟୀ କରାଇଥିଲେ। ଦିଲ୍ଲୀର ଟାରା ନୋରିସ୍‌ ଓ ଆଲିସ୍‌ କାପ୍‌ସି ଗୋଟିଏ ଲେଖାଏ ଉଇକେଟ ନେବାରେ ସଫଳ ହୋଇଥିଲେ।

Share