Categories: ଖେଳ

ମୁମ୍ବାଇର ଚତୁର୍ଥ ବିଜୟ

ମୁମ୍ବାଇ,୩୦।୪: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲର ୪୨ତମ ହାଇସ୍କୋରିଂ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୬ ଉଇକେଟରେ ବିଜୟୀ ହୋଇଛି। ଏହି ବିଜୟ ସହ ମୁମ୍ବାଇ ୮ଟି ମ୍ୟାଚ୍‌ରୁ ୪ଟି ବିଜୟୀ ହୋଇ ୮ ପଏଣ୍ଟ ପାଇ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି।

ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ଅଧିନାୟକ ସଞ୍ଜୁ ସାମସନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଯୁବ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଶତକ ବଲରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୨୧୨ ରନ୍‌ କରିଥିଲା। ଜବାବରେ ମୁମ୍ବାଇ ୧୯.୩ ଓଭରରେ ୪ ଉଇକେଟ ହରାଇ ୨୧୪ ରନ୍‌ କରି ବିଜୟ ହାସଲ କରିନେଇଥିଲା।

୨୧୩ ରନ୍‌ ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୫୫ ରନ୍‌ କରିଥିଲେ। ୧୫୨ ରନ୍‌ରେ ଦଳ ଚତୁର୍ଥ ଉଇକେଟ ହରାଇଥିଲେ ମଧ୍ୟ ଟିମ୍‌ ଡେଭିଡ୍‌ ୧୪ ବଲ୍‌ରେ ୪୫ ଓ ତିଳକ ବର୍ମା ୨୯ ରନ୍‌ କରି ଦଳକୁ ବିଜୟୀ କରାଇଥିଲେ। ଉଭୟ ୨୩ ବଲ୍‌ ଖେଳି ୬୨ ରନ୍‌ ଯୋଡିଥିଲେ। ରାଜସ୍ଥାନ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୨ଟି ଉଇକେଟ ନେଇଥିବା ବେଳେ ସନ୍ଦୀପ ଶର୍ମା ଏବଂ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share