Categories: ଜାତୀୟ

ମୁମ୍ବାଇରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ମୁମ୍ବାଇ,୨୨ା୮: ମୁମ୍ବାଇରେ ଜଣେ ୧୩ ବର୍ଷୀୟା ବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଘଟଣାରେ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗୋରେଗାଁଓରୁ ଗିରଫ କରାଯାଇଛି। ସୋସିଆଲ ମିଡିଆ ଜରିଆରେ ସେମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହେବା ପରେ ପରସ୍ପରକୁ ଭେଟିଥିଲେ ବୋଲି ପୋଲିସ କହିଛି। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଶିଶୁ ଯୌନ ଅପରାଧ ପ୍ରତିକାର ଆଇନ (ପୋକ୍‌ସୋ)ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି।

ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତ ଏକ ହୋଟେଲରେ କାମ କରୁଥିବାବେଳେ ନାବାଳିକାଙ୍କ ସହ ସୋସିଆଲ ମିଡିଆ ଜରିଆରେ କଥା ହେଉଥିଲେ। ସେମାନେ ପରସ୍ପରକୁ ଭେଟିବା ପାଇଁ ନିଷ୍ପତ୍ତି ନେଇଥିଲେ। ଅଭିଯୁକ୍ତ ନାବାଳିକାଙ୍କୁ ଅନ୍ଧେରୀ ନେଇ ବଳାତ୍କାର କରିଥିଲା। ଅଗଷ୍ଟ ୧୫ରେ ତାଙ୍କୁ ଗୁଜରାଟ ନେଇ ୩ ଥର ବଳାତ୍କାର କରିଥିଲା ବୋଲି ଅଭିଯୋଗ ହୋଇଛି। କିଛିଦିନ ପରେ ନାବାଳିକା ଘରକୁ ଫେରି ସବୁକଥା ପରିବାର ଲୋକଙ୍କୁ ଜଣାଇଥଲେ।

ଇନ୍‌ଷ୍ଟାଗ୍ରାମ ଫଟୋରୁ ପରିବାର ସଦସ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ ଏବଂ ସ୍ଥାନୀୟ ପୋଲିସକୁ ଜଣାଇଥିଲେ। ଠାଣେ ଜିଲାର ବଦଲାପୁରରେ ୨ ଜଣ ନର୍ସରି ଛାତ୍ରୀଙ୍କୁ ସ୍କୁଲ୍‌ ଝାଡ଼ୁଦାର ଯୌନ ନିର୍ଯାତନା ଦେବା ଅଭିଯୋଗରେ ବିକ୍ଷୋଭ ଜୋର୍‌ଦାର ହୋଇଥିବାବେଳେ ମୁମ୍ବାଇର ଏହି ବଳାତ୍କାର ଘଟଣା ସାମ୍‌ନାକୁ ଆସିଛି।

Share