Advertisement
Categories: Home Leftଖେଳ

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବାଇ ତା’ର ପଏଣ୍ଟ ଖାତା ଖୋଲିଛି। ପଦାର୍ପଣ ମ୍ୟାଚରେ ପ୍ରଥମ ଭାରତୀୟ ଭାବେ ଅଶ୍ୱନୀ ୪ ଉଇକେଟ ନେଇଛନ୍ତି।
ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା କୋଲକାତା ୧୬.୨ ଓଭରରେ ୧୧୬ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଅଙ୍ଗକ୍ରିଶ ରଘୁବଂଶୀ ୨୬, ରମନଦୀପ ସିଂ ୨୨, ମନୀଷ ପାଣ୍ଡେ ୧୯, ରିଙ୍କୁ ସିଂ ୧୭, ଅଧିନାୟକ ଅଜିଙ୍କ୍ୟ ରାହାନେ ୧୧ ରନ କରିଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁ ପାରିନଥିଲେ। ମୁମ୍ବାଇ ପକ୍ଷରୁ ପଦାର୍ପଣକାରୀ ଅଶ୍ୱନୀ କୁମାର ସର୍ବାଧିକ ୪ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପକ ଚହର ୨ଟି ଉଇକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ହାର୍ଦ୍ଦିକ, ବିଘ୍ନେଶ ପୁଥୁର ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ମୁମ୍ବାଇ ମାତ୍ର ୧୨.୫ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ରୋହିତ ଶର୍ମା ୧୩ ଓ ଓ୍ବିଲ ଜ୍ୟାକ୍ସ ୧୬ ରନ କରି ଆଉଟ ହୋଇଥିଲେ। ରିକଲଟନ ୪୧ ବଲରେ ୪ ଚୌକା ଓ ୫ ଛକା ସହିତ ୬୨ ରନ ଓ ସୂର୍ଯ୍ୟକୁମାର ୯ ବଲରେ ୩ ଚୌକା ଓ ୨ ଛକା ସହିତ ୨୭ ରନ କରି ମ୍ୟାଚ ଫିନିଶ କରିଥିଲେ। କେକେଆର ପକ୍ଷରୁ ରସେଲ ୨ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ୍‌ ରାଇଡର୍ସ: ୧୬.୨ ଓଭରରେ ୧୧୬/ଅଲଆଉଟ (ଆଙ୍ଗକ୍ରିଶ ରଘୁବଂଶୀ-୨୬, ମନୀଷ ପାଣ୍ଡେ-୧୯, ରିଙ୍କୁ ସିଂ-୧୭, ଅଶ୍ୱନୀ କୁମାର-୪/୨୪, ଦୀପକ ଚହର-୨/୧୯, ହାର୍ଦ୍ଦିକ ପାଣ୍ଡ୍ୟା-୧/୧୦, ଟ୍ରେଣ୍ଟ ବୋଲ୍ଟ-୧/୨୩, ମିଚେଲ ସାଣ୍ଟନର-୧/୧୭)। ମୁମ୍ବାଇ ଇଣ୍ଡିଆନ୍ସ: ୧୨.୫ ଓଭରରେ ୧୨୧/୨ (ରିୟାନ ରିକଲଟନ-୬୨*, ସୂର୍ପ୍ୟକୁମାର ଯାଦବ-୨୭*, ଓ୍ବିଲ ଜ୍ୟାକ୍ସ-୧୬, ଆନ୍ଦ୍ରେ ରସେଲ-୨/୩୫)।

Subscribe to Dharitri WhatsApp ChannelSubscribe to Dharitri WhatsApp Channel