Categories: ଜାତୀୟ

ପାକସ୍ଥଳୀରେ ୯ କୋଟିର କୋକେନ୍‌ ଆଣି ଆସୁଥିଲେ, ଧରିଲା ପୋଲିସ

ମୁମ୍ବାଇ, ୭।୧:ଇଥିଓପିଆରୁ ଭାରତକୁ ଉଚ୍ଚମାନର କୋକେନ୍‌ ଚୋରାଚାଲାଣ ବେଳେ ମୁମ୍ବାଇ ପୋଲିସ ୨ ଜଣ ବିଦେଶୀଙ୍କୁ ଗିରଫ କରିଛି। ଫଳରେ ଏକ ଅନ୍ତର୍ଜାତୀୟ ନିଶା ଚୋରାକାରବାର ର଼୍ୟାକେଟ୍‌ର ପ୍ରର୍ଦ୍ଦାଫାସ୍‌ ହୋଇଛି। ନାଇଜେରିଆର ଡାନିଏଲ୍‌ ନେମେକ୍‌(୩୮) ଏବଂ ଭେନେଜୁଏଲାର ଜୋଏଲ୍‌ ରାମୋସ୍‌(୧୯)ଙ୍କଠାରୁ ୮୮୦ ଗ୍ରାମ କୋକେନ୍‌ ଜବତ ହୋଇଛି, ଯାହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୯ କୋଟି ଟଙ୍କା। ସେମାନେ କୋକେନ୍‌ କ୍ୟାପ୍‌ସୁଲଗୁଡ଼ିକୁ ଗିଳିଦେଇ ପାକସ୍ଥଳୀରେ ସେଗୁଡ଼ିକୁ ଧରି ଭାରତ ଆସିଥିଲେ। ଶନିବାର ଭୋର ସମୟରେ ମୁମ୍ବାଇର ସାକି ବିହାର ରୋଡ୍‌ରେ ପାଟ୍ରୋଲିଂ ବେଳେ ସେମାନେ ତରତର ହୋଇ ଚାଲିଯାଉଥିବା ଦେଖି ପୋଲିସ ସେମାନଙ୍କୁ ଅଟକାଇବାକୁ କହିଥିଲା। ସେମାନେ ନ ଅଟକି ଏକ ଅଟୋ ଯୋଗେ ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଟିମ୍‌ ସେମାନଙ୍କୁ ପିଛା କରି ଧରିଥିଲା। ନେମେକ ୨୦୧୭ରୁ ଭାରତରେ ରହିଥିବାବେଳେ ତାଙ୍କ ପାଖରେ ବୈଧ ଭ୍ରମଣ କାଗଜପତ୍ର ନ ଥିବା ପୋଲିସ କହିଛି। ସେମାନେ ନଭି ମୁମ୍ବାଇର ଜଣେ ଡିଷ୍ଟ୍ରିବ୍ୟୁଟରଙ୍କୁ କୋକେନ୍‌ ଯୋଗାଉଥିଲେ। ରାମୋସ୍‌ ଗତ ୧ ତାରିଖରୁ ବ୍ରାଜିଲର ସାଓ ପାଉଲୋରୁ ଇଥିଓପିଆର ଆଡିସ୍‌ ଅବାବା ଦେଇ ମୁମ୍ବାଇ ଆସିଥିଲେ ଓ ସାକିନାକାର ଏକ ହୋଟେଲରେ ରହୁଥିଲେ।

Share