ଆବୁଧାବି,୨୮।୯: କୁମ୍ଫୁ ପାଣ୍ଡ୍ୟା ଭାବେ ଜଣାଶୁଣା ହାର୍ଦ୍ଦିକଙ୍କ ବ୍ୟାଟ୍ରୁ ରନ୍ ବାହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ବିଜୟ। ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ଫେଜରେ କ୍ରମାଗତ ୩ ମ୍ୟାଚ୍ରେ ପରାଜୟ ପରେ ପ୍ରଥମ ଥର ପାଇଁ ବିଜୟ ସ୍ବାଦ ଚାଖିଛି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ।
୧୩୬ ରନ୍ର ଏକ ସାଧାରଣ ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ମୁମ୍ବାଇକୁ ଆରମ୍ଭରୁ ଗୋଟିଏ ଓଭରରେ ଡବଲ ଝଟ୍କା ଦେଇଥିଲେ ରବି ବିଷ୍ଣୋଇ। କିନ୍ତୁ ରନ୍ର ଆବଶ୍ୟକ ହାର କମ୍ ଥିବାରୁ ଚାପର ସମ୍ମୁଖୀନ ନ ହୋଇ ଧିରେ ଧିରେ ଖେଳିଥିଲେ କୁଇଣ୍ଟନ ଡି’ କକ୍ (୨୭) ଓ ସୌରଭ ତିଓ୍ବାରୀ (୪୫)। ଦୁହେଁ ଆଉଟ୍ ହେବା ପରେ ହାର୍ଦ୍ଦିକ ୪ ଚୌକା ଓ ୨ ଛକା ସହାୟତାରେ ୪୦ ରନ୍ କରି ଦଳକୁ ମ୍ୟାଚ୍ ଜିତାଇ ଦେଇଥିଲେ। ମୁମ୍ବାଇ ୧୯ ଓଭରରେ ୪ ଉଇକେଟ ହରାଇ ୧୩୭ ରନ୍ କରିଥିଲା। ପୂର୍ବରୁ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଏଡେନ ମାର୍କାରାମ ୪୨ ଓ ଦୀପକ ହୁଡା(୨୮)ଙ୍କ କାରଣରୁ ଦଳୀୟ ସ୍କୋର ୧୩୫ ରନ୍ରେ ପହଞ୍ଚି ପାରିଥିଲା।