ଚଳିତ ବର୍ଷ ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ମୁମ୍ବାଇ। ବିଶେଷକରି ସହରର ତଳିଆ ଅଞ୍ଚଳରେ ପାଣି ଜମି ରହିବାରୁ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏସବୁ ମଧ୍ୟରେ ମାଟ୍ଟୁଙ୍ଗା ଅଞ୍ଚଳର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଅଗଷ୍ଟ ୪ର ବୋଲି ଜଣାପଡ଼ିଛି। ଏଥିରେ ଜଣେ ମହିଳାଙ୍କ ସାହସ ଦେଖିବାକୁ ମିଳିଛି। ସେ ହେଲେ କାନ୍ତା ମୂର୍ତ୍ତି।
ମାଟ୍ଟୁଙ୍ଗା ଅଞ୍ଚଳରେ ରହୁଥିବା କାନ୍ତା ରାସ୍ତାରେ ଜମା ହୋଇଥିବା ପାଣିକୁ ଦେଖି ଏକ ମ୍ୟାନ୍ହୋଲ୍କୁ ଖୋଲି ଦେଇଥିଲେ। ଫଳରେ ସେଥିରେ ପାଣି ଖଲାସ ହୋଇଥିଲା। ହେଲେ ମ୍ୟାନ୍ହୋଲ୍ ଖୋଲା ଥିବା ଯୋଗୁ ଦୁର୍ଘଟଣା ହେବାର ସମ୍ଭାବନା ରହିଥିଲା। ଏଣୁ ମହିଳାଜଣଙ୍କ ବର୍ଷାରେ ଦୀର୍ଘ ୭ ଘଣ୍ଟା ଧରି ରାସ୍ତାରେ ଛିଡ଼ା ହୋଇ ଗାଡ଼ିଗୁଡ଼ିକୁ ବାଟ କଡ଼ାଇଥିଲେ। ହେଲେ ବିଏମ୍ସି ଅଧିକାରୀ ସେଠାରେ ପହଞ୍ଚିବା ପରେ ତାଙ୍କୁ ପାଟି କରିଥିଲେ।
କାନ୍ତା ପେସାରେ ଜଣେ ଫୁଲ ବିକାଳି। ତାଙ୍କ ସ୍ବାମୀ ରେଳ ଦୁର୍ଘଟଣାରେ ଦିବ୍ୟାଙ୍ଗ ହୋଇଯିବା ପରେ ସେ ଏକା ପରିବାରର ପ୍ରତିପୋଷଣ କରୁଛନ୍ତି। ଏବେ ଭିଡିଓ ଭାଇରାଲ ହେବା ପରେ ତାଙ୍କର ପ୍ରଶଂସା କରାଯାଉଛି।