ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ

କାମାକ୍ଷାନଗର/ ଭୁବନ, ୨।୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଏବଂ ଭୁବନ ଏନ୍‌ଏସିରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଚୂଡ଼ାନ୍ତ ଓ୍ବାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଉଭୟ ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଛି। ସେହିପରି ସଂରକ୍ଷଣ ତାଲିକାରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ତେଣୁ ଚଳିତ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ସ୍ପଷ୍ଟ ହୋଇଛି।
କାମାକ୍ଷାନଗର ଏନ୍‌ଏସିର ମୋଟ ୧୫ ଓ୍ବାର୍ଡ ମଧ୍ୟରୁ ୧, ୭, ୯, ୧୧, ୧୨, ୧୩ନଂ. ଅଣସଂରକ୍ଷିତ ରହିଛି। ସେହିପରି ୨, ୧୫ନଂ. ଅନୁସୂଚିତ ଜାତି ମହିଳା, ୫ନଂ. ଓ୍ବାର୍ଡ ଅନୁସୂଚିତ ଜାତି, ୬ନଂ. ଓ୍ବାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି। ସେହିପରି ୩, ୪, ୮, ୧୦, ୧୪ ଓ୍ବାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ମୋଟ ଉପରେ ୮ଟି ଓ୍ବାର୍ଡ ବିଭିନ୍ନ ବର୍ଗର ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଥିବା ପୌର ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ ସୂଚନା ଦେଇଛନ୍ତି।
ସେହିପରି ୧୫ ଓ୍ବାର୍ଡ ବିଶିଷ୍ଟ ଭୁବନ ଏନ୍‌ଏସିର ୧ନଂ. ଓ୍ବାର୍ଡ ଅନୁସୂଚିତ ଜାତି, ୨ନଂ. ଅଣସଂରକ୍ଷିତ, ୩ନଂ. ମହିଳା, ୪ନଂ. ମହିଳା, ୫ନଂ. ଅଣସଂରକ୍ଷିତ, ୬ନଂ. ଅଣସଂରକ୍ଷିତ, ୭ନଂ. ଅଣସଂରକ୍ଷିତ, ୮ନଂ. ମହିଳା, ୯ନଂ. ଅଣସଂରକ୍ଷିତ, ୧୦ନଂ. ଅନୁସୂଚିତ ଜାତି ମହିଳା, ୧୧ନଂ. ମହିଳା, ୧୨ନଂ. ମହିଳା, ୧୩ନଂ. ଅଣସଂରକ୍ଷିତ, ୧୪ନଂ. ମହିଳା, ୧୫ନଂ. ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଥିବା ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ ସୂଚନା ଦେଇଛନ୍ତି। ମୋଟ ଉପରେ ୮ଟି ଓ୍ବାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି।
ଉଭୟ ଏନ୍‌ଏସିରେ ୧୫ଟି ଲେଖାଏ କାଉନ୍‌ସିଲର ପଦବୀ ରହିଛି। ତନ୍ମଧ୍ୟରୁ ୮ଟି ଲେଖାଏ ଅର୍ଥାତ୍‌ ମୋଟ ଉପରେ ୫୦% ଆସନ ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଛି। ଫଳରେ ପୌର ନିର୍ବାଚନରେ ମହିଳାଙ୍କ ପ୍ରାଧାନ୍ୟ ବଢ଼ିବ ବୋଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମତପ୍ରକାଶ ପାଇଛି।