ଧରାକୋଟ,୨୬।୬(ଡି.ଏନ୍.ଏ.): ଚାଷୀର ଆର୍ଥିକ ମାନଦଣ୍ଡର ବିକାଶରେ ସେବା ସମବାୟ ସମିତିର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ବିହନ, ସାର ଯୋଗାଣଠାରୁ କୃଷି ଋଣ ପର୍ଯ୍ୟନ୍ତ ସବୁଥିରେ କୃଷକ ପଛରେ ଠିଆ ହୋଇଥାଏ ସେବା ସମବାୟ ସମିତି । ହେଲେ ସମବାୟ କେନ୍ଦ୍ର ବ୍ୟାଙ୍କ ଧରକୋଟ ଶାଖା ଅଧୀନରେ ରହିଥିବା ୧୫ ସମିତିର ସ୍ଥିତି ଶୋଚନୀୟ। ସେଥିମଧ୍ୟରୁ ମୁଣ୍ଡମରାଇ ସମିତିର ସ୍ଥିତି ଅତ୍ୟନ୍ତ ଜରାଜୀର୍ଣ୍ଣ। ୧୯୬୪ରେ ପ୍ରତିଷ୍ଠିତ ଏହି ସମିତିର କାର୍ଯ୍ୟାଳୟ, ୨ଟି ଗୋଦାମ ଗୃହ ଏବେ ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ଏହି ସମିତି ଅଧୀନରେ ମୁଣ୍ଡାମରାଇ ଓ ସରଧାପୁର ପଞ୍ଚାୟତର ମୋଟ ୩୪୬୮ ଜଣ ଚାଷୀ ସଭ୍ୟ ଭାବରେ ଅନୁବନ୍ଧିତ। ରବି ଓ ଖରିଫ ଫସଲ ପାଇଁ ଆସୁଥିବା ବିହନ ଓ ସାର ରଖିବା ପାଇଁ ଦୁଇଟି ଗୋଦାମ ରହିଛି। ଗତ ଫାଇଲିନ ବାତ୍ୟା ସମୟରେ କାର୍ଯ୍ୟାଳୟ ଓ ଗୋଦାମ ଗୃହର ଟିଣ, ସିଲିଂ, ଫ୍ଲୋରିଂ ନଷ୍ଟ ହୋଇଯାଇଥିବା ବେଳେ କବାଟ, ଝରକା ସମ୍ପ୍ରତି ଜରାଜୀର୍ଣ୍ଣ ସ୍ଥିତିରେ ପହଞ୍ଚିଲାଣି। ଗୋଦାମରେ ରହୁଥିବା ସାର ଓ ବିହନ ବର୍ଷା ଜଳରେ ଭିଜି ନଷ୍ଟ ହେଉଥିବାବେଳେ କାର୍ଯ୍ୟାଳୟର ଆସବାବପତ୍ର, କମ୍ପ୍ୟୁଟର, ଲାପଟପ, ଜେରକ୍ସ ମେଶିନକୁ ପାଲ ଘୋଡ଼ାଇ ରଖିବାକୁ ପଡୁଛି। ସମିତିର ଶୋଚନୀୟ ସ୍ଥିତି ସମ୍ପର୍କରେ ସମବାୟ ବିଭାଗର ଉପନିବନ୍ଧକ ଓ ସହକାରୀ ଉପନିବନ୍ଧକଙ୍କୁ ଚିଠି ଲେଖି ଜଣାଇଥିଲେ ମଧ୍ୟ ଫଳାଫଳ ଶୂନ। ସ୍ଥିତି ଏପରି ହେଲାଣି କେଉଁ ମୁହୂର୍ତ୍ତରେ ଗୃହ ଭୁଶୁଡ଼ି ଧନ ଜୀବନ ନଷ୍ଟ ହେବ ତାହା କହିହେଉନାହଁି। ଏଣୁ ସମବାୟ ବିଭାଗର ଉଚ୍ଚ ପଦାଧିକାରୀ ତୁରନ୍ତ ମୁଣ୍ଡମରାଇ ସମେତ ସମସ୍ତ ୧୫ଟି ସମିତିର କାର୍ଯ୍ୟାଳୟ ଓ ଗୋଦାମ ଗୃହ ନିର୍ମାଣ ପାଇଁ ଚାଷୀମାନେ ଦାବି କରିଛନ୍ତି।