ପୌର ଭୋଟ୍‌: ବୁଧବାରଠାରୁ ନାମାଙ୍କନ, ୭ ଯାଏ ଚାଲିବ

ଭୁବନେଶ୍ୱର, ୧ା୩(ବ୍ୟୁରୋ): ରାଜ୍ୟର ୧୦୬ ପୌରପାଳିକା ଓ ୩ ମହାନଗର ନିଗମ ନିର୍ବାଚନ ଲାଗି ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଥିଲେ। ତେବେ ବୁଧବାର ଠାରୁ ପୌର ନିର୍ବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଆସନ୍ତା ୧୪ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଏବଂ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ୨୬ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଗତ ୨୫ ତାରିଖରୁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହ ଭୋଟ ହେବାକୁ ଥିବା ସବୁ ପୌରାଞ୍ଚଳରେ ଆଦର୍ଶନ ଆଚରଣବିଧି ଲାଗୁ ହୋଇଛି। ଏହା ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଆସନ୍ତା ୨୪ରେ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନ୍‌ଏସି ଏବଂ ୩ଟି ମହାନଗର ନିଗମରେ ପ୍ରାୟ ୪୧ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। କେବଳ ପୁରୀ ପୌର ପରିଷଦ, ଭଦ୍ରକ ପୌର ପରିଷଦର ୪ ନମ୍ବର ଓ୍ବାର୍ଡରେ ନିର୍ବାଚନକୁ ନେଇ ମାମଲା କୋର୍ଟରେ ଥିବାରୁ ଏଠାରେ ନିର୍ବାଚନ ହେବ ନାହିଁ।

Share