Categories: ବାଣିଜ୍ୟ

ମୁନିକୋ ଫୁଡ୍‌ସ ଓଆଇସି (ମିଲେଟସ୍‌)ର ବିଜେତା

ଭୁବନେଶ୍ୱର,୧୧।୧୧, ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀ ପରିସରରେ ଷ୍ଟାର୍ଟଅପ୍‌ ଓଡ଼ିଶାର ଅଭିନବ କାର୍ଯ୍ୟକ୍ରମ ‘ଓଡ଼ିଶା ଇନୋଭେସନ୍‌ ଚ୍ୟାଲେଞ୍ଜ ବା ଓଆଇସି (ମିଲେଟସ୍‌)’ର ବିଜେତା ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ମୁନିକୋ ଫୁଡ୍‌ସ ପ୍ରଥମ ବିଜେତା ଭାବେ ୩ ଲକ୍ଷ ଟଙ୍କାର ପୁରସ୍କାର ସହ ମାନପତ୍ର ଲାଭ କରିଥିଲାବେଳେ ଏକେଏମ୍‌ ଟେକ୍ନୋଲୋଜି (ଗ୍ରୋଜିପ୍‌) ୨ୟ ଏବଂ ଚକୋଲାକା ୩ୟ ବିଜେତା ହୋଇଥିଲା। ଏପରିକି ଉଭୟ ୨ୟ ଓ ୩ୟ ବିଜେତା ଯଥାକ୍ରମେ ୨ ଲକ୍ଷ ଏବଂ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ହାସଲ କରିଛନ୍ତି। ସେହିଭଳି ସର୍ବମୋଟେ ୪୧ଟି ସଂସ୍ଥା ଉକ୍ତ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲେ ଏବଂ ଯତ୍ନର ସହ ମୂଲ୍ୟାଙ୍କନ ପରେ ୧୦ଟି ସଂସ୍ଥା ଅନ୍ତିମ ପର୍ଯ୍ୟାୟକୁ ଯାଇ ସେମାନଙ୍କର ଆଇଡିଆ ବିସ୍ତୃତ ଭାବେ ପ୍ରଦାନ କରିଥିଲେ। ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କର ରାୟ କହିଛନ୍ତି, ରାଜ୍ୟର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଆମେ ଓଡ଼ିଶାରେ ମିଲେଟ ଚାଷର ଚମତ୍କାର ଅଭିବୃଦ୍ଧି ଦେଖିଛୁ। ଓଡ଼ିଶାର ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ ମଧ୍ୟ ମିଲେଟ୍‌ ଇଣ୍ଡଷ୍ଟ୍ରିରେ ସକ୍ରିୟ ଭାବେ ଜଡିତ ରହିଛି ଏବଂ ବର୍ତ୍ତମାନ ଏହି କ୍ଷେତ୍ର ମଧ୍ୟରେ ପ୍ରାୟ ୬୮ ଷ୍ଟାର୍ଟଅପ୍‌ କାର୍ଯ୍ୟ କରୁଛନ୍ତି। ଏହି ଷ୍ଟାର୍ଟଅପ୍‌ଗୁଡିକ କେବଳ ମିଲେଟ ଅଭିବୃଦ୍ଧିରେ ସହଯୋଗ କରୁନାହାନ୍ତି ବରଂ ଆମର କୃଷକ ତଥା ସେମାନଙ୍କର ଜୀବିକା ଆବଶ୍ୟକତା,ବ୍ରାଣ୍ଡିଂ ତଥା ଉତ୍ପାଦର ବିକାଶ ପାଇଁ ମୂଲ୍ୟ ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସାମଗ୍ରିକ ପ୍ରଭାବ ଏବଂ ଅଭିବୃଦ୍ଧି ପାଇଁ ସମ୍ଭାବନାକୁ ବଢ଼ାଇବା ସହ ଏହି କ୍ଷେତ୍ରକୁ ଅଧିକ ସଶକ୍ତ କରିବାକୁ ଉଦ୍ୟୋଗୀ ପ୍ରସ୍ତୁତ ହୋଇଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀର ଏକ ଅଂଶ ଭାବେ ଷ୍ଟାର୍ଟଅପ୍‌ ଓଡ଼ିଶା ଦ୍ୱାରା ମିଲେଟ ମାଧ୍ୟମରେ ‘ନିରନ୍ତର ଖାଦ୍ୟ ଉଦ୍ୟୋଗକୁ ସଶକ୍ତୀକରଣ’ଉପରେ ଏକ ଅଧିବେଶନ ଆୟୋଜିତ ହୋଇଥିଲା। ଉକ୍ତ ସମ୍ମିଳନୀ ମିଲେଟ ଅଧିବେଶନ ମାଧ୍ୟମରେ ସ୍ଥାୟୀ ଖାଦ୍ୟ ଉଦ୍ୟୋଗକୁ ସଶକ୍ତୀକରଣ ଖାଦ୍ୟ ନିରନ୍ତର ଉଦ୍ୟୋଗରେ ମିଲେଟର ପ୍ରମୁଖ ଭୂମିକା ତ୍ୱରାନ୍ବିତ କରିବାକୁ ଲକ୍ଷ୍ୟ ରଖିଥିଲା।

Share