ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ସହାୟତା ରାଶି ଘୋଷଣା କଲେ ବିଧାୟକ

ନବରଙ୍ଗପୁର,୧୮।୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଂଚାୟତ ସଦର ମହକୁମାରେ ଏକ ସ୍ପର୍ଶକାତର ଘଟଣା ଘଟିଛି। ଗାଁ ଉପକଣ୍ଠରେ ଥିବା ଏକ ଟାୱାର ନିକଟ ବୁଦାରୁ ୫ମ ଶ୍ରେଣୀ ଛତ୍ରୀ ୧୧ ବର୍ଷୀୟା ନାବାଳିକାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପଡିରହିଛି। ନାବାଳିକା ଝିଅକୁ ବଳତ୍କାର ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାପରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ପହଁଛି ପରିବାର ଲୋକଙ୍କୁ ଭେଟିବା ସହିତ ତୁରନ୍ତ ଅଭିଯୁକ୍ତକୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ କହିଛନ୍ତି ।

ଅତିରିକ୍ତ ଏସପି ବାଟ କୃଷ୍ଣ ମିଶ୍ର, ନବରଙ୍ଗପୁର ଏଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, ପାପଡାହାଣ୍ଡି ଏସ୍ଡ଼ିପିଓ ମିନାକ୍ଷୀ ଠାକୁର, ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ କୁମାର ବେହେରା, ଡିଆଇବି ଡିଏସପି ମନୋଜ ପୂଜାରୀ, ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଗୋପାଳ କୃଷ୍ଣ ଅଗୁପତ୍ର ଓ ଡ୍ରଗ ସ୍କୁଆର୍ଡ ଓ ସାଇଁଟିଫିକ ଟିମ ପହଁଛି ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ସ୍ଥାନୀୟ ଅଞ୍ଚଳର ୩ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।

ମଙ୍ଗଳବାର ରାତିରେ ଘଟଣା ଜଣା ପଡିବା ପରେ କଣ୍ଟାଗାଁରେ ଛପା ଉତ୍ତେଜନା ଦେଖିବାକୁ ମିଳିଥିଲା ଦୋକାନ ବଜାର ଓ ବିଦ୍ୟାଳୟ ବନ୍ଦ ରହିବାସହ କଣ୍ଟାଗାଁ ଭିତରକୁ ପଥର ଓ କାଠ ପକାଇ ରାସ୍ତା ବନ୍ଦ କରାଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୂର୍ବତନ ଏମପି ପ୍ରଦୀପ ମାଝୀ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ କହିଛନ୍ତି ଯେ, ରାଜ୍ୟ ଓ ଜିଲା ପୋଲିସ ମହିଳା, ଛାତ୍ରୀ,ମା’ ମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ। ଜଣେ ଆଦିବାସୀ ଝିଅକୁ ବଳତ୍କାର ପରେ ହତ୍ୟା କରାଯାଇଛି । ପୋଲିସ ପ୍ରଶାସନକୁ ଅପରାଧୀ ଭୟ ମୁକ୍ତ ହୋଇ ରହିଛନ୍ତି । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ । ଯଦି ନ୍ୟାୟ ନ ମିଳେ ତେବେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଛନ୍ତି।

ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ଆଲୋଚନା ପରେ ମୃତଦେହ ଘଟଣାସ୍ଥଳରୁ ଅପରାହ୍ନ ୨ଟା ୩୦ରେ ଉଠିଛି। ଉପଜିଲାପାଳ ଓ ଏସ୍‌ଡିପିଓ  ଲିଖିତ ଭାବେ ଜଣାଇଛନ୍ତି ଯେ, ଅଭିଯୁକ୍ତଙ୍କୁ ୧୫ ଦିନ ମଧ୍ୟରେ ଗିରଫ କରାଯିବ। ପରିବାର ଯଦି ଭୂମିହୀନ ତେବେ ବସୁନ୍ଧରା ଯୋଜନା ଅନୁଯାୟୀ ଭୂମି ଯୋଗାଇ ଦିଆଯିବ। ଡିଏଲଏସଏ କମିଟିରେ ଆଲୋଚନା କରାଯାଇ ଅଧିକରୁ ଅଧିକ ସହାୟତା ପ୍ରଦାନ ପାଇଁ ପ୍ରଶାସନ ଉଦ୍ୟମ କରିବ ବୋଲି ଉପଜିଲାପାଳ ମିଶ୍ର କହିଛନ୍ତି।