
ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ଗ୍ରାମର ପ୍ରସାଦ ଗୌଡ଼ଙ୍କୁ ହତ୍ୟାଉଦ୍ୟମ ଘଟଣାରେ ସମ୍ପୃକ୍ତ ତେଣ୍ଟୁଆପଡ଼ା ଗ୍ରାମର ଲାଲୁ ପ୍ରସାଦ ସେଠୀଙ୍କୁ କେ.ନୂଆଗାଁ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୨ ତାରିଖ ରାତି ପ୍ରାୟ ୧୧ ଟାରେ ପ୍ରସାଦ ଚିକିଟି ବ୍ଲକ ବଡ଼କେଳାଝରି ଗ୍ରାମରୁ ଯାତ୍ରା ଦେଖି ବାଇକ ଯୋଗେ ଫେରୁଥିଲେ। କେ.ନୂଆଗାଁ ଥାନା ପହଁରାବାଡ଼ି ଗାଁ ରାସ୍ତାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ଲାଲୁ ପ୍ରସାଦ ଏବଂ ବଢେଇ ସନ୍ଧିଗାଁର ସଦାନନ୍ଦ ପ୍ରଧାନ ଙ୍କ ସମେତ ଅନ୍ୟକିଛି ଯୁବକ ତାଙ୍କୁ ରାସ୍ତାରେ ଜବରଦସ୍ତ ଅଟକାଇ ଆପତ୍ତିଜନକ ଭାଷାରେ ଗାଳି ଗୁଲଜ କରି ହତ୍ୟା ଉଦ୍ଦେଶ୍ୟରେ ତାଙ୍କ ମୁଣ୍ଡକୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ।
ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପ୍ରସାଦ କୌଶଳକ୍ରମେ ସେଠାରୁ ଖସି ପଳାଇଥିଲେ। ପ୍ରସାଦ ବମୋକେଇ ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଘଟଣାର ପରଦିନ କେ.ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ନାଁ’ରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଘଟଣା ପରଠାରୁ ଫେରାର ଥିବା ଲାଲୁଙ୍କୁ ତଦନ୍ତକାରୀ ଅଧିକାରୀ ଏଏସଆଇ ତାରକେଶ୍ଵର ରାଓ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଖଣ୍ଡାକୁ ପୋଲିସ ଜବତ କରିଛନ୍ତି।