ଭିଣୋଇଙ୍କୁ କରିଥିଲେ ହତ୍ୟା, ବର୍ଷକ ପରେ ଧରାପଡ଼ିଲେ ୨ ଶାଳକ

ଛତ୍ରପୁର,୪ା୪(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆର୍ଯ୍ୟପଲ୍ଲୀ ନିକଟ ଚାରିଛକ କୁଆବୁଦା ନିକଟରୁ ଏକ ମୃତଦେହ ୨୦୨୩ ମାର୍ଚ୍ଚ ୨୩ ତାରିଖରେ ଆର୍ଯ୍ୟପଲି ଗ୍ରାମର ଏ. ଚେନ୍ଦ୍ରେୟାଙ୍କ ମୃତଦେହ ମିଳିଥିଲା। କୌଣସି ଏକ ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ସେ ସମୟରେ କୁହାଯାଇଥିଲା। ମାତ୍ର ବର୍ଷକ ପରେ ତଦନ୍ତ ସରିବା ପରେ ଏହା ହତ୍ୟା ଘଟଣା ବୋଲି ପୋଲିସ କହିଛି। ଦୁର୍ଘଟଣାରେ ମୃତ୍ୟୁ ହତ୍ୟା ମାମଲାକୁ ରୂପାନ୍ତର ହୋଇଛି। ଭିଣୋଇ ଚନ୍ଦ୍ରେୟାଙ୍କୁ ହତ୍ୟା ମାମଲାରେ ପୋଲିସ ୨ ଶାଳକଙ୍କୁ ଗିରଫ କରିଛି। ସେମାନେ ହେଲେ ଜି. ଲାଛେୟା ଓ ଜି. ସମୁଲାୟା।

ଆର୍ଯ୍ୟପଲି ଗ୍ରାମର ଚେନ୍ଦ୍ରେୟା ୨୦୨୩ ମାର୍ଚ୍ଚ ୨୨ ତାରିଖ ରାତ୍ରିରେ ନିଖୋଜ ଥିଲେ। ପରଦିନ ସକାଳେ ଚାରିଛକ କିଆବୁଦାଠାରେ ତାଙ୍କ ମୃତଦେହ ମିଳିଥିଲା। ଗାଡି ଧକ୍କାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ସ୍ତ୍ରୀ ଏ. କାଲାମା ଚମାଖଣ୍ଡି ଥାନାରେ ଜଣାଇଥିଲେ। ଏହାର ତଦନ୍ତ କରି ଚମାଖଣ୍ଡି ପୋଲିସ ବର୍ଷକ ପରେ ଚେନ୍ଦ୍ରେୟାଙ୍କୁ ତାଙ୍କ ଦୁଇ ଶାଳକ ବ୍ୟକ୍ତିଗତ କାରଣରୁ ହତ୍ୟା କରିଥିଲେ ବୋଲି କହିଛି। ମାମଲା (ନଂ ୯୨/୨୩)ରେ ୨ ଅଭିଯୁକ୍ତଙ୍କୁ ବଡ଼ ଆର୍ଯ୍ୟପଲି ଗାଁରୁ ଗିରଫ ପରେ କୋର୍ଟ ଚାଲାଣ କରିଛି।