Advertisement

ଝିଆରୀଙ୍କୁ କରୁଥିଲେ ପ୍ରେମ, ଯୋଜନା କରି ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲେ ଦାଦା

ଅନୁଗୋଳ,୧୦ ।୧୨: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଶନିବାର ଉଦ୍ଧାର ହୋଇଥିଲା। ଏହି ଘଟଣାର ଜରପଡ଼ା ପୋଲିସ ପର୍ଦ୍ଦାଫାସ କରିଛି। ଯୁବକ ଜଣଙ୍କ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ। ସେଥିପାଇଁ ନାବାଳିକାଙ୍କ ଦାଦା ଲୋକ ଲଗାଇ ତାଙ୍କୁ ଅପହରଣ କରି ହତ୍ୟା କରିଛନ୍ତି ବୋଲି ପୋଲିସ ସୂଚନା ଦେଇଛି।
ମୃତ ଯୁବକ ଜଣଙ୍କ ହେଲେ ଅନୁଗୋଳ ଜିଲା କୋରଡ଼ା ଗ୍ରାମର ବିକାଶ ବେହେରା। ଏହି ହତ୍ୟାକାଣ୍ଡରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଉଛନ୍ତି ଅନୁଗୋଳ ଜିଲା କଣିହାଁ ଥାନା ଜାମ୍ବୁଯୋ ଗ୍ରାମର ମାମୁଲି ଓରଫ ସଞ୍ଜିଲ ପ୍ରଧାନ (୨୬)। ନାବାଳିକାଙ୍କ ଦାଦା ଓ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି।
ବିକାଶ ତାଙ୍କ ଗାଁର ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ। ନାବାଳିକାଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜାଣିବା ପରେ ବିରୋଧ କରିଥିଲେ। ହେଲେ ବିକାଶ କିଛି ନ ଶୁରିବାରୁ ନାବାଳିକାଙ୍କ ଦାଦା ବିକାଶଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ । ଏ ନେଇ ସେ ନିଜ ସହଯୋଗୀ ସଞ୍ଜିଲଙ୍କ ସାହାଯ୍ୟ ନେଇଥିଲେ। ପରେ ତାଙ୍କୁ ଅପହରଣ କରାଯାଇଥିଲା। ଏକ ଜଙ୍ଗଲରେ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ତାଙ୍କ ଦେହରେ ପଥର ବାନ୍ଧି ପୋଖରୀରେ ପକାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share