ହିଞ୍ଜିଳିକାଟୁ,୨୮ା୯(ଦ୍ବିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସାରୁ ଗ୍ରାମ ବାଉରୀ ସାହିରେ ୨୦୧୭ ଏପ୍ରିଲ ୩୦ରେ ତାସଖେଳକୁ କେନ୍ଦ୍ର କରି ଶୁକଦେବ ନାଇକଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ଗୁରୁବାର
ପ୍ରକାଶ ପାଇଛି। ହିଞ୍ଜିଳିକାଟୁ ସର୍କିଟ କୋର୍ଟରେ ଛତ୍ରପୁର ଅତିରିକ୍ତ ଜିଲା ଦୌରା ଜଜ୍ ମନୋରଞ୍ଜନ ଦାସ ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ସାରୁ ଗ୍ରାମର ରାମରଥ ଦାଶ, ସୁଧୀର ଦାଶ ଏବଂ ଦିଲି ଦାଶ ।
୩ ଅଭିଯୁକ୍ତ ଶୁକଦେବଙ୍କୁ ଘରୁ ଟାଣିଆଣି ଦାଣ୍ଡରେ ଛୁରି ଭୁସି ହତ୍ୟା କରିଥିବା ନେଇ ମୃତକଙ୍କ ସ୍ତ୍ରୀ ଝିଲି ନାଇକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ହିଞ୍ଜିଳି ଥାନା ପୋଲିସ ଏକ ମାମଲା(ନଂ.୮୪/୧୭) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଟିମ୍ ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ତାଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଥିଲା। ପରେ ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଅତିରିକ୍ତ ଜିଲା ଦୌରା ଜଜ୍ ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଡମିନାଥ ସାହୁ ମାମଲା ପରିଚାଳନା କରିଥିଲେ।