ପୋଲସରା,୨୧ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ପାଣ୍ଡିରିପଡା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମରେ ଜମିବାଡିକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଦୁଇଜଣଙ୍କୁ ମୁମ୍ବାଇ ସହରରୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମନୋଜ ସାହୁ ଓ ଶଙ୍କର ସାହୁ। ଉଭୟ ଅଭିଯୁକ୍ତଙ୍କୁ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ଗିରଫ କରାଯାଇଛି।
ଉଭୟ ଅଭିଯୁକ୍ତ ମୁମ୍ବାଇରେ ଶ୍ରମିକ ଭାବେ କାମ କରିବା ସହ ଆତ୍ମଗୋପନ କରିଥିଲେ। ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ଅତିରିକ୍ତ ଥାନା ଅଧିକାରୀ କୃଷ୍ଣ ଶାହା ଓ କନଷ୍ଟେବଳ ଶ୍ରୀକାନ୍ତ ପାତ୍ର ସଦଳବଳ ମୁମ୍ବାଇ ପହଞ୍ଚି ଅଭିଯୁକ୍ତମାନଙ୍କ ଗତିବଧି ଠାବ କରି ସେମାନଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ ଧରି ପୋଲସରା ଥାନାରେ ପହଞ୍ଚିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୮ରେ ପାଣ୍ଡିରିପଡା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ପଞ୍ଚୁ ସାହୁଙ୍କ(୫୫ ) ମୃତ୍ୟୁ ଘଟିଥିଲା। ମୃତ ପଞ୍ଚୁଙ୍କ ପୁଅ ପିଣ୍ଟୁ ସାହୁଙ୍କ ଅଭିଯୋଗ କ୍ରମେ ପୋଲସରା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ପୂର୍ବରୁ କୋର୍ଟ ଚାଲାଣ କରାଯାଇଥିଲା।