କାଳୀ ମନ୍ଦିର ଆଗରେ ତଣ୍ଟି ଚିପି ହତ୍ୟା: ବନ୍ଧାହେଲେ ଅଭିଯୁକ୍ତ

ଛତ୍ରପୁର,୧୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ନିକଟ ଢାବା- କୁମାରବେଗପଲ୍ଳୀ ରାସ୍ତା କାଳୀ ମନ୍ଦିର ଆଗରେ ବାବୁଲା ବେହେରାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ଛତ୍ରପୁର ପୋଲିସ ଗିରଫ କରିଛି। ସେ ହେଲେ ପାଲିଆ ଛତ୍ରପୁର ଗାଁର ଏସ୍‌.କ୍ରିଷ୍ଣା ରାଓ ା ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ସୋମବାର ବିଳମ୍ବିତ ରାତିରେ ଛତ୍ରପୁର ବିଦ୍ୟାଧରନଗରର ବାବୁଲାଙ୍କୁ କାଳୀ ମନ୍ଦିର ଆଗରେ ହତ୍ୟା କରାଯାଇଥିଲା। ତାଙ୍କ ନିଜ ଘର ଗଞ୍ଜାମ ବ୍ଲକ କାଇଁଚପୁର ଗ୍ରାମରେ ା ମଙ୍ଗଳବାର ସକାଳେ ଛତ୍ରପୁର ପୋଲିସ ବାବୁଲାଙ୍କ ମୃତଦେହକୁ ଜବତ କରିଥିଲା। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ବାବୁଲାଙ୍କୁ ହତ୍ୟା କରାଯାଇଥିବା ତଦନ୍ତ ବେଳେ ଜଣାପଡିବା ପରେ ପୋଲିସ ଏ ନେଇ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ କ୍ରିଷ୍ଣାଙ୍କୁ ପୋଲିସ ଗିରଫ କରିଥିଲା। ପୋଲିସ ସୂଚନା ଦେଇଛଇ ଯେ, କ୍ରିଷ୍ଣା ଏକ ବାଇକ୍‌ ବିକ୍ରି କରି ଟଙ୍କା ପାଖରେ ରଖିଥିଲେ। ସେଥିରୁ କିଛି ଟଙ୍କା ବାବୁଲା ଧାର ନେଇଥିଲେ । ସେ ଆଉ ଉକ୍ତ ଟଙ୍କା ଶୁଝି ନ ଥିଲେ ା ସୋମବାର ରାତିରେ ବାବୁଲା ଓ କ୍ରିଷ୍ଣା ଏକ ଢାବାରୁ ଖାଦ୍ୟ କିଣିବା ସହ ମଦ ନେଇ କାଳୀ ମନ୍ଦିର ନିକଟକୁ ଯାଇଥିଲେ। ସେଠାରେ ବାବୁଲା ନିଶାଶକ୍ତ ଅବସ୍ଥାରେ ଥିବାବେଳେ କ୍ରିଷ୍ଣା ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ।

Share