ସ୍ବାମୀ-ସ୍ତ୍ରୀ ଗଣ୍ଡଗୋଳରୁ ହତ୍ୟାକାଣ୍ଡ

ଆସିକା,୧୦।୧୦(ଡି.ଏନ୍‌.ଏ.): ଆସିକା ଏନ୍‌ଏସି ଅଶୋକା ସିନେମା ଛକ ନିକଟରେ ରବିବାର ଏକ ଭଡା ଘରେ ରହୁଥିବା ଲକ୍ଷ୍ମୀପ୍ରିୟା ମିଶ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୋଲିସ ହତ୍ୟାକାରୀ ସ୍ବାମୀ ସୀମାଞ୍ଚଳ ମିଶ୍ରଙ୍କୁ ଧରାକୋଟ ନିକଟସ୍ଥ ମୁଣ୍ଡମରାଇରୁ ଧରି ଥାନାରେ ଅଟକ ରଖିଥିଲା। ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ପୋଲିସ ଜବତ କରିଛି।

ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି। ସୂଚନାଯୋଗ୍ୟ, ମହିଳା ଜଣକ ତାଙ୍କ ସାନ ପୁଅ ସହ ଏକ ଭଡା ଘରେ ରହୁଥିବା ବେଳେ ତାଙ୍କ ସ୍ବାମୀ ବାହାରେ ରହୁଥିଲେ। ସେ ଘରକୁ ଆସି ସ୍ତ୍ରୀଙ୍କ ସହ ଗଣ୍ଡଗୋଳ କରୁଥିଲେ। ଏଭଳି ସ୍ଥତିରେ ରବିବାର ମହିଳା ଜଣକ ଘରେ ଏକାକି ଥିବା ବେଳେ ଅଭିଯୁକ୍ତ ସ୍ବାମୀ ତାଙ୍କୁ ହତ୍ୟା କରିଥିଲେ। ସୋମବାର ପୋଲିସ ଫରେନସିକ ଟିମ୍‌ ପହଞ୍ଚି ଯାଞ୍ଚ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି।

Share