ଅନୈତିକ ସମ୍ପର୍କ ଲାଗି ବାଧ୍ୟ କରିବାରୁ ହତ୍ୟା

ସୁନ୍ଦରଗଡ଼,୧୮।୧: ସୁନ୍ଦରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ କିରେଇ ପଞ୍ଚାୟତର ଗାଁ ସାଥୀ ରମେଶ ସିଂ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭବାନୀପୁରର ମାଧବୀଲତା ସିଂଦେଓ (୪୭) ଓ ତାଙ୍କ ଜ୍ୱାଇଁ ଭଜ ଓରାମ(୩୯)ଙ୍କୁ ପୋଲିସ ଗିରଫ କରି ସୋମବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଅନୈତିକ ସମ୍ପର୍କ ଲାଗି ବାଧ୍ୟ କରିବା ହିଁ ହତ୍ୟାର ମୁଖ୍ୟ କାରଣ ବୋଲି ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, କିରେଇ ପଞ୍ଚାୟତରେ ଗାଁ ସାଥୀ ଭାବେ କାର୍ଯ୍ୟ କରୁଥିବା ଭବାନୀପୁର ଗ୍ରାମର ରମେଶ ସିଂ(୩୨) ଗତ ୧୩ ତାରିଖରେ ନିଖୋଜ ଥିବା ନେଇ ପରିବାର ଲୋକେ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଟାଉନଥାନା ପୋଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା। ହେଲେ ଗତ ୧୫ ତାରିଖ ରାତିରେ ସହର ଉପକଣ୍ଠ ପୁରୁଣା ଟୋଲଗେଟ୍‌ ନିକଟ ଏକ ଧାନବିଲରୁ ପୋଲିସ ଏକ କଟାହାତ ଜବତ କରିଥିଲା। ୧୬ ତାରିଖ ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ଭବାନୀପୁର ଶୀତଳଭଣ୍ଡାର ନିକଟ ପୋଖରୀରୁ ଏକ କଟାମୁଣ୍ଡ, କଟାହାତ ଓ ଗଣ୍ଡି ଜବତ କରିଥିଲା। ା ନିଖୋଜ ଗାଁ ସାଥୀ ରମେଶଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରାଯାଇଥିବା ଜଣାପଡିବା ପରେ ପୋଲିସ ଟାଉନ୍‌ ଥାନାରେ ଏକ ହତ୍ୟା ମାମଲା (ନଂ. ୨୦।୨୦୨୧) ରୁଜୁ କରିଥିଲା। ଟାଉନ୍‌ ଥାନା ଆଇଆଇସି ବିବିିତ୍ସ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଏହି ମାମଲାର ତନାଘନା ତଦନ୍ତ ଆରମ୍ଭ କରିଥିଲା।
ତେଜରାତି ଦୋକାନ ଦେଇଥିବା ମାଧବୀଲତା ଓ ତାଙ୍କ ଜ୍ୱାଇଁ ଭଜଙ୍କ ସମେତ ୫ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରିଥିଲା। ମାଧବୀଙ୍କ ସହିତ ମୃତ ଗାଁ ସାଥୀ ରମେଶ ଅନୈତିକ ସମ୍ପର୍କ ସ୍ଥାପନ ଲାଗି ଉଦ୍ୟମ କରି ଆସୁଥିଲେ। ବିଭିନ୍ନ ସମୟରେ ରମେଶ ନିଶାଗ୍ରସ୍ତ ଅବସ୍ଥାରେ ଆସି ସମ୍ପର୍କ ସ୍ଥାପନ ପାଇଁ ବାଧ୍ୟ କରୁଥିଲେ। ଗତ ୧୩ ତାରିଖ ରାତି ପ୍ରାୟ ୮ଟା ବେଳେ ରମେଶ ମଦ୍ୟପାନ କରି ମାଧବୀଙ୍କ ଘରେ ପହଞ୍ଚି ତାଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ବାଧ୍ୟ କରିଥିଲେ। ମାଧବୀଲତା ଉତ୍‌କ୍ଷିପ୍ତ ହୋଇ ଏକ କଟୁରିରେ ଆକ୍ରମଣ କରି ବେକ, ୨ ହାତ, ୨ ଗୋଡ ଓ ଶରୀରକୁ ଖଣ୍ଡଖଣ୍ଡ କରି ହାଣି ହତ୍ୟା କରିଥିଲେ। ପରେ ରାତିରେ ଜ୍ୱାଇଁ ଭଜ ଓରାମଙ୍କ ସହ ମିଶି ରମେଶଙ୍କ କଟା ଅଙ୍ଗପ୍ରତ୍ୟଙ୍ଗ ସବୁ ଧାନ ବିଲ ଓ ପୋଖରୀରେ ନେଇ ଫୋପାଡି ଘଟଣାକୁ ଲୁଚାଇବାକୁ ଉଦ୍ୟମ କରିଥିଲେ। ପୋଲିସ ଏହି ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି, ହତ୍ୟାର ଶିକାର ହୋଇଥିବା ରମେଶଙ୍କ ମୋବାଇଲ ଫୋନକୁ ଜବତ କରିଛି।

 

Share