ମଦ ବିକ୍ରିକୁ ବିରୋଧ କରିବାରୁ ଯୁବକକୁ ହତ୍ୟା

ଚୌଦ୍ୱାର, ୨ା୯(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ଥାନା ବାଣିପଦା ପଞ୍ଚାୟତ ହରିଜନ ସାହିରେ ମଦକୁ ବିରୋଧ କରିବାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକକୁ ହତ୍ୟା କରାଯାଇଛି । ସେ ହେଲେ ଉକ୍ତ ସାହିର ସରୋଜ ସାମଲ। ଖବର ପାଇଁ ଚୌଦ୍ୱାର ପୋଲିସ ସହିତ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
ପ୍ରକାଶ ଯେ, ଉକ୍ତ ସାହିରେ ମଦ ବିକ୍ରିକୁ ବିରୋଧ କରି ମହିଳାମାନେ ବହୁବାର ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ତେବେ ମଙ୍ଗଳବାର ରାତିରେ ମଦ ବିକ୍ରି କରୁଥିବା କିଛି ବ୍ୟକ୍ତିଙ୍କ ନାମରେ ମହିଳାମାନେ ଥାନାରେ ଅଭିଯୋଗ କରି ଫେରିବା ପରେ ସାହିରେ ଗଣ୍ଡଗୋଳ ହୋଇଥିଲା । ମଦ ବିକ୍ରି କରୁଥିବା ଗୋଷ୍ଠୀର କିଛି କ୍ୟକ୍ତି ସରୋଜଙ୍କୁ ଆକ୍ରମଣ କରିବା ସହ ଏକ କଟୁରୀରେ ତାଙ୍କ ମୁଣ୍ଡକୁ ହାଣି ଦେଇଥିଲେ । ଫଳରେ ସରୋଜ ଗୁରୁତର ହୋଇପଡ଼ିଥିଲେ। ଖବର ପାଇ ଚୌଦ୍ୱାର ପୋଲିସ ପହଞ୍ଚି ସରୋଜଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇଥିଲା। ସେଠାରେ ଡାକ୍ତର ସରୋଜକୁ ମୃତ ଘୋଷଣା କରିଥିଲେ । ସାହି ଭିତରେ ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ଚୌଦ୍ୱାର ଥାନା ପକ୍ଷରୁ ୨ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଛି । ବର୍ତ୍ତମାନ ସାଇନଫିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Share