ପାଟନା,୧୭ା୬: ବିହାରର ଗୋପାଳଗଞ୍ଜରେ ଅପରାଧୀମାନେ ଜଣେ ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ହତ୍ୟା କରିଛନ୍ତି। ଏହି ଘଟଣା ପରେ ଯୁବତୀଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅପରାଧୀମାନେ ତାଙ୍କ ମୁହଁକୁ ଏସିଡ୍ରେ ପୋଡ଼ି ଦେଇଛନ୍ତି। ମହମ୍ମଦପୁର ଥାନା ଅନ୍ତର୍ଗତ ପାକଡ଼ି ଏବଂ ସୁପୌଲି ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।
ଘଟଣାର ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟ ଅଞ୍ଚଳରେ ହତ୍ୟା କରି ପରେ ମୃତଦେହକୁ ଏନ୍ଏଚ୍-୨୭ର କଲଭର୍ଟ ତଳେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଏହି ମାମଲାରେ ମହମ୍ମଦପୁର ପୋଲିସ ନିଜ ତରଫରୁ ମାମଲା ପଞ୍ଜୀକୃତ ହୋଇଛି।
ପ୍ରକାଶ ଯେ, ଶନିବାର ସକାଳେ ସୁପୌଲି ଏବଂ ପାକଡ଼ି ଗ୍ରାମ ମଧ୍ୟରେ ଥିବା କ୍ଷେତରେ କାମ କରିବାକୁ ଯାଇଥିବା କୃଷକମାନେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତଦେହକୁ କଲଭର୍ଟ ତଳେ ଫିଙ୍ଗି ଦିଆଯାଇଥିବା ଦେଖି ନିକଟସ୍ଥ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ।
ଗ୍ରାମବାସୀଙ୍କ ସୂଚନାନୁଯାୟୀ, ମହମ୍ମଦପୁର ଏବଂ ସିଦ୍ଧଓ୍ବାଲିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହ ଚିହ୍ନଟ ହୋଇପାରି ନାହିଁ। ଯୁବତୀଙ୍କୁ ହତ୍ୟା ମାମଲାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି।