ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ବ୍ରହ୍ମପୁର ଅଫିସ,୫ା୧୧: ଗଞ୍ଜାମ ଜିଲା କୁକୁ ବ୍ଲକ ଅନନ୍ତେଇ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଶୁକ୍ରବାର ସକାଳେ ଦୁର୍ବୃତ୍ତମାନେ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଖବର ପାଇ ବ୍ରହ୍ମପୁର ଟାଉନ ଏସଡିପିଓ ବିଷ୍ଣୁପ୍ରସାଦ ପତି ଓ ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଦୀପ ବ୍ରହ୍ମପୁର ଗେଟ୍‌ବଜାର ଅଞ୍ଚଳରେ ରହୁଥିବା ବେଳେ ଶୁକ୍ରବାର ସକାଳେ ନିଜ ପଞ୍ଚାୟତର ବିକାଶ କାମ ସେ ଦେଖିବାକୁ ଯାଉଥିବା ବେଳେ ତାଙ୍କ ସୁକୁଣ୍ଡା ଜଗନ୍ନାଥ ମନ୍ଦିର ନିକଟରେ ୩ ଜଣ ଯୁବକ ଅଟକାଇଥିଲେ। ପ୍ରଦୀପଙ୍କୁ ଦୁର୍ବୃତ୍ତମାନେ ତାଙ୍କ ସ୍କୁଟି ଗାଡ଼ିରେ କ’ଣ ଅଛି ଡିକି ଖୋଲି ଦେଖାଇବାକୁ କହିଥିଲେ। ସେ ଗାଡ଼ିର ଡିକି ଖୋଲିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରି ଚମ୍ପଟ ମାରିଥିଲେ। ପୁଞ୍ଜିଭୂତ ଅଶାନ୍ତିରୁ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।