Categories: ରାଜ୍ୟ

ନାବାଳିକା ବୋହୂଙ୍କୁ ହତ୍ୟା: ମଶାଣିରୁ ଖୋଜା ଚାଲିଛି ପ୍ରମାଣ

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ନାବାଳିକା ବୋହୂଙ୍କ ଅଚାନକ ମୃତ୍ୟୁ ପରେ ତାଙ୍କୁ ଡାକ୍ତରଖାନା ନ ନେଇ କିମ୍ବା ପୋଲିସକୁ ଖବର ନ ଦେଇ ଅତି ତରବରିଆ ଭାବେ ପୋଡ଼ିଦିଆଯାଇଛି। ଏଥିରୁ ସନ୍ଦେହ ବଢ଼ୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏହା ପରେ ପୋଲିସ ମଶାଣିରେ ପହଞ୍ଚତ୍ ତାଙ୍କର ହାଡ଼ ଓ ପାଉଁଶ ଜବତ କରିଛି। ଅନ୍ୟପକ୍ଷରେ ତାଙ୍କ ସ୍ବାମୀ ଓ ଶ୍ୱଶୁରଙ୍କୁ ଅଟକ ରଖାଯାଇଛି। ପ୍ରକୃତରେ ଏହି ଘଟଣା ପଛର ରହସ୍ୟ କ’ଣ ସେ ନେଇ ମଶାଣିରୁ ପ୍ରମାଣ ଖୋଜୁଛି ପୋଲିସ।

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ମହାମାୟୀ ନଗର ପ୍ରଥମ ଲେନରେ ରହୁଥିବା ରମେଶ ବିଷୋୟୀଙ୍କ ଘରେ ତାଙ୍କ ନାବାଳିକା ବୋହୂ ନନ୍ଦିନୀ ସାହୁ(୧୬)ଙ୍କ ଗତ ଶନିବାର ଅପରାହ୍ନରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ତାଙ୍କୁ ଡାକ୍ତରଖାନା ନିଆ ନ ଯାଇ କିମ୍ବା ପୋଲିସକୁ ନ ଜଣାଇ ତରବରିଆ ଭାବେ ଶ୍ମଶାନରେ ପୋଡ଼ି ଦିଆଯାଇଥିଲା। ଏ ନେଇ ନନ୍ଦିନୀଙ୍କ ବାପା ଶିବରାମ ରବିବାର ରାତିରେ ଦିଗପହଣ୍ଡି ଥାନାରେ ତାଙ୍କ ଝିଅକୁ ଅଧିକ ଯୌତୁକ ପାଇଁ ସ୍ବାମୀ ଓ ଶ୍ବଶୁର ମିଶି ହତ୍ୟା କରିଥିବା ନେଇ ଏତଲା ଦେଇଥିଲେ। ଥାନା ଆଇଆଇସି ବାବା ଶଙ୍କର ସରାଫ ନଂ.୨୫୫/୨୪ ଦଫା ୪୯୮(କ)/୩୦୨/୨୦୧/ ୩୦୪(ଖ)/୩୪ ଏବଂ ଯୌତୁକ ନିରୋଧ ଆଇନରଧାରା-୪ ଅନୁଯାୟୀ ମାମଲା ରୁଜୁ କରିଥିଲେ। ସୋମବାର ସକାଳୁ ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ ରମେଶଙ୍କ ଘରେ ପହଞ୍ଚତ୍ ସବିଶେଷ ତଦନ୍ତ କରିବା ସହ ମଶାଣିରୁ ନନ୍ଦିନୀଙ୍କ ହାଡ଼, ପାଉଁଶ ଜବତ କରି ଫୋରେନ୍ସିକ ଲାବରେଟୋରିକୁ ପଠାଇଛନ୍ତି। ପୋଲିସ ନନ୍ଦିନୀଙ୍କ ସ୍ବାମୀ ଜିତୁ ଓରଫ ଜିତେନ୍ଦ୍ର ବିଷୋୟୀ ଏବଂ ଶ୍ୱଶୁର ରମେଶ ବିଷୋୟୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ପୋଲିସ ସୂଚନାନୁସାରେ, ଗତ କିଛି ମାସ ହେଲା ଜିତୁ ତାଙ୍କ ଗ୍ରାମର ଶିବରାମ ସାହୁଙ୍କ ନାବାଳିକା ଝିଅ ନନ୍ଦିନୀଙ୍କୁ ପ୍ରେମ କରୁଥିଲେ। ନନ୍ଦିନୀ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ବିବାହ ପାଇଁ ଉଭୟଙ୍କ ପରିବାରରେ ଅରାଜି ହେବା କାରଣରୁ ଗତ ଏପ୍ରିଲ ମାସରେ ଉଭୟେ ଗ୍ରାମରୁ ଫେରାର ହୋଇଯାଇଥିଲେ। ପ୍ରାୟ ୩ ମାସ ବାହାରେ ରହିବା ପରେ ଉଭୟେ ଗ୍ରାମକୁ ଫେରିଥିଲେ। ପରେ ଉଭୟ ପରିବାର ଲୋକଙ୍କ ସହମତି କ୍ରମେ ଗ୍ରାମ ନିକଟ ବଡ଼ପଦା ଶ୍ରୀଉଦୟନାଥେଶ୍ୱର ଶୈବପୀଠରେ ବିବାହ କରିଥିଲେ। ସେହିଦିନଠାରୁ ନନ୍ଦିନୀ ଶାଶୁ ଘରେ ରହୁଥିଲେ। ଶନିବାର ନନ୍ଦିନୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଝାଡ଼ାବାନ୍ତିରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ବାମୀ ଓ ଶାଶୁ ଘର ଲୋକେ ସାହି ପଡ଼ୋଶୀଙ୍କୁ ସଫେଇ ଦେଇଥିଲେ। ଏହାକୁ ସହଜରେ ଗ୍ରହଣ କରି ନ ଥିଲେ ଗ୍ରାମବାସୀ। ନନ୍ଦିନୀଙ୍କ ପରିବାର ଲୋକଙ୍କୁ ଏନେଇ ଖବର ଦିଆଯାଇଥିଲା। ସେମାନେ ପହଞ୍ଚତ୍ବା ପୂର୍ବରୁ ଅତି ତରବରିଆ ଭାବେ ମୃତଦେହ ଶ୍ମଶାନକୁ ନେଇ ନନ୍ଦିନୀଙ୍କ ଶାଶୁଘର ଲୋକେ ଦାହ କରିଦେଇଥିଲେ। ତେବେ ତାଙ୍କ ଝିଅକୁ ଯୌତୁକ ପାଇଁ ସ୍ବାମୀ ଓ ଶାଶୁଘର ଲୋକେ ପିଟିପିଟି ମାରିଦେଇଥିବା ଶିବରାମ ଥାନାରେ ଅଭିଯୋଗ କରିଥିଲେ।

Share