ଶଳାର ବେକ କାଟି ଭିଣେଇ ଫେରାର୍‌

କୋରାପୁଟ/ନାରାୟଣପାଟଣା,୧୨।୯(ଅମିତାଭ ବେହେରା, ରାଜକିଶୋର ଜେନା) କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଭିଣେଇ ନିଜ ଶଳାର ବେକକାଟି ଫେରାର୍‌ ହୋଇଯାଇଛନ୍ତି। ମୃତକ ଶଳା ହେଲେ ବନ୍ଧୁଗାଁ ବ୍ଲକର ମାନିଗି ବାଲସା ଗ୍ରାମର ଧର୍ମା ହିମିରିକା(୩୦)।
ସୂଚନାଯୋଗ୍ୟ, ମଙ୍ଗଳବାର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର କାପଲଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାନିଗିବାଳସା ଗ୍ରାମର ଧର୍ମା ହିମିରିକା ନିଜ ଘରେ ଶୋଇଥିବାବେଳେ କୈଣସି କାରଣ ନେଇ ତାଙ୍କ ଭିଣେଇ କର୍ମା ହିମିରିକା(୩୫) ଏକ ଧାରୁଆ ଅସ୍ତ୍ରରେ ଶଳାଙ୍କ ବେକକୁ କାଟି ଦେଇ କେଉଁଆଡେ ଫେରାର୍‌ ହୋଇ ଯାଇଛନ୍ତି। ଏହି ଘଟଣା ପ୍ରଚାରହେବା ପରେ ଧର୍ମାର ପରିବାର ପକ୍ଷରୁ ଏନେଇ ବନ୍ଧୁଗାଁ ଥାନାରେ ଅଭିଯୋଗ କରାଯାଇଛି। ବନ୍ଧୁଗାଁ ଥାନା ପୋଲିସ ଓଏସଆଇ ବିଜୟ ମୁର୍ମୁଙ୍କ ନେତୃତ୍ୱରେ ଏଏସଆଇ ରବି ସାଧୁ ସମେତ ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବନ୍ଧୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ପୋଲିସ ଏନେଇ ଥାନାରେ ୧୦୮/୨୦୨୩ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଧାରା ୩୦୨ ରୁଜୁ କରିଛି। ଅଭିଯୁକ୍ତ କୁର୍ମା ହିମିରିକାକୁ ଗିରଫ ପାଇଁ ଚେଷ୍ଟା ଜାରି ରହିଛି। ବୁଧବାର ମୃତଦେହ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ତେବେ କେଉଁ କାରଣ ଯୋଗୁଁ କୁର୍ମା ଧର୍ମାକୁ ହତ୍ୟା କଲେ ସେ ନେଇ ସୂଚନା ମିଳିପାରି ନାହିଁ। କୁର୍ମାକୁ ଗିରଫ କରିବା ପରେ ତାହା ଜଣାପଡିବ ବୋଲି ଥାନା ପକ୍ଷରୁ କୁହାଯାଇଛି।