Advertisement

ଶୋଇଥିବା ବେଳେ ଗାମୁଛା ଭିଡ଼ି ଦୁଇ ନାବାଳକ ଭାଇଙ୍କୁ ହତ୍ୟା: ଗିରଫ ହେଲେ ବାପା, ଜେଜେ ମା’

ନୟାଗଡ଼,୧୩ା୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚେଙ୍ଗେଡ଼ା ଗାଁରେ ୨ ନାବାଳକ ଭାଇଙ୍କୁ ହତ୍ୟା ଘଟଣାରେ ଅଟକ ଥିବା ବାପା ପ୍ରକାଶ ମହାନ୍ତି ଓ ଜେଜେମା ସଉରୀ ମହାନ୍ତିଙ୍କୁ ପୋଲିସ ଗିରଫ କରିଛି। ଏସ୍‌ପୀ ଏସ୍‌ ଶୁଶ୍ରୀଙ୍କ ସୂଚନାନୁସାରେ ବାପାଙ୍କ ବିବାହକୁ ବିରୋଧ କରିବାରୁ ଦୁଇ ଭାଇଙ୍କୁ ହତ୍ୟା କରାଯାଇଛି। ବାପା ଓ ଜେଜେ ମା’ ଦୁଇ ନାବାଳକଙ୍କୁ ଶୋଇଥିବା ଅବସ୍ଥାରେ ଗାମୁଛା ଦେଇ ହତ୍ୟା କରିଛନ୍ତି । ହତ୍ୟାପରେ ଆତ୍ମହତ୍ୟା ରୂପ ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ। ବାପା ହତ୍ୟା କରିଥିବାବେଳେ ଜେଜେମା ଏଥିରେ ସହଯୋଗ କରିଥିଲେ ବୋଲି କହିଛନ୍ତି। ଅପରପକ୍ଷେ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି। ଦୁଇ ଭାଇଙ୍କ ହତ୍ୟା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମୃତକଙ୍କ ବାପା, ଜେଜେମା ଓ ୨ ପଡ଼ୋଶୀ ଦମ୍ପତିଙ୍କ ସହ ୭ ଜଣଙ୍କୁ ହତ୍ୟା ସନ୍ଦେହରେ ଅଟକ ରଖ ତଦନ୍ତ ଚଳାଇଥିଲା। ତଦନ୍ତରୁ ବାପା ପ୍ରକାଶ ମହାନ୍ତି ଓ ଜେଜେମା ସଉରୀ ମହାନ୍ତି ହତ୍ୟାକାରୀ ବୋଲି ପ୍ରମାଣ ମିଳିଛି।

ପ୍ରକାଶ ଯେ, ଗତ ସୋମବାର ସକାଳେ ୨ ନାବାଳକଙ୍କ ମୃତଦେହ ଧାନଚେଙ୍ଗେଡା ଗାଁ ପ୍ରକାଶ ମହାନ୍ତିଙ୍କ ଘରର ଶିଡି ରେଲିଂରେ ଝୁଲୁଥିଲା। ପଡ଼ୋଶୀ ଦମ୍ପତି ଉକ୍ତ ନାବାଳକ ଆକାଶ ମହାନ୍ତି(୧୪) ଓ ତାଙ୍କସାନ ଭାଇ ଆଦିତ୍ୟ(୯)ଙ୍କ ମୃତଦେହକୁ ଶିଡି ରେଲିଂରୁ ଉଦ୍ଧାର କରି ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ। ୨ ପୁଅଙ୍କୁ ହତ୍ୟା କରାଯିବା ନେଇ ମାମୁଘର ପକ୍ଷରୁ ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ.୬୧/୨୫) ରୁଜୁ କରି ତଦନ୍ତ କରିଥିଲା।

Share