ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା: ଅଭିଯୁକ୍ତ ବାପ-ପୁଅ ଧରାପଡ଼ିଲେ

ରାଇରଙ୍ଗପୁର,୨୬।୧୧(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ରମା ପାହାଡି ଗ୍ରାମର ତପୋଇ ନାମ୍ନୀ ମହିଳାଙ୍କ ହତ୍ୟା ଘଟଣାର ତଦନ୍ତ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାମଦା ଥାନା ଅନ୍ତର୍ଗତ କୁଦାହଂସା ଗ୍ରାମର ବିଶେଶ୍ୱର ବେହେରା(୫୨), ତାଙ୍କର ପୁଅ ରାକେଶ ବେହେରା (୨୩ ) ଓ ୨ ସହଯୋଗୀ ତିରିଙ୍ଗ ଥାନା ଅନ୍ତର୍ଗତ କୋଣ ଗ୍ରାମର ଲାଲଟୁ ଦାସ ଏବଂ ରାଜେଶ ଦାସ।

ତଦନ୍ତ ବେଳେ ମୁଖ୍ୟ ଅଭିଯୁକ୍ତ ବିଶେଶ୍ୱର ପୋଲିସ ଆଗରେ ସ୍ବୀକାର କରିଛନ୍ତି ଯେ, ତପୋଇଙ୍କ ସହ ଦୀର୍ଘ ୧୫ ବର୍ଷ ହେବ ତାଙ୍କ ଘରକୁ ଯାତାୟାତ ସମ୍ପର୍କ ଥିଲା। ଟଙ୍କା ନେଣଦେଣକୁ ନେଇ ତପୋଇଙ୍କୁ ହତ୍ୟା କରିଥିବା ବେଳେ ଏଥିରେ ପୁଅ ରାକେଶ ଓ ତାଙ୍କର ୨ ସାଙ୍ଗ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ, ଗତ ଗୁରୁବାର ଯାମଦା ଥାନା ଅଧୀନ ଜଟାପାଣି ଗ୍ରାମାଞ୍ଚଳ ନିକଟସ୍ଥ ଘଞ୍ଚ ଜଙ୍ଗଲରୁ ନିଖୋଜ ତପୋଇଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଥିଲା। ଏନେଇ ଥାନାରେ ମାମଲା (ନଂ.୯୪/୨୩ ) ରୁଜୁ କରାଯାଇଛି।

Share