ବଚସାରୁ ଯୁବକଙ୍କୁ ହତ୍ୟା: ୬ ଜଣଙ୍କୁ ବାନ୍ଧିଲା ପୋଲିସ

ରେଙ୍ଗାଲି,୧ା୮(ଡି.ଏନ.ଏ.): ସମ୍ବଲପୁର ଜିଲା ରେଙ୍ଗାଲି ଥାନ ଅଧୀନ ଟେର୍ଚ୍ଚାପଡ଼ାରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ୨୯ ତାରିଖ ସାରେ ଟେର୍ଚ୍ଚାପଡା ଓ କାଳିଆପଡାର ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଟେର୍ଚ୍ଚାପଡାର ଡାକ୍ତର ଓରାମ (୨୦)ଙ୍କୁ କେତେଜଣ ଯୁବକ ଛୁରି ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଡାକ୍ତରଙ୍କୁ ରେଙ୍ଗାଲି ଡାକ୍ତରଖାନା ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ଡାକ୍ତରଖାନା ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ହତ୍ୟା ମାମଲା ରୁଜୁ କରି ଅଶୋକ ମୁଣ୍ଡ(୨୫), ତରୁଣ ଓରାମ (୨୦), ସମୀର ଓରାମ (୧୯), ସତ୍ୟାନନ୍ଦ ଓରାମ (୨୫), ପ୍ରମୋଦ ଓରାମ (୧୯) ଓ ଶିବ ଓରାମ (୧୯)ଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଭୁଜାଲି ଜବତ ହୋଇଛି।

Share