ମୋବାଇଲ ଫୋନକୁ ନେଇ ବଚସାରୁ ହତ୍ୟାକାଣ୍ଡ

ସମ୍ବଲପୁର,୨୧।୩(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସର୍ଲାକାନୀ ଗାନ୍ଧୀପଡାର ଗଣେଶ ଓରାମ (୨୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ଲବ ଓରାମ (୨୦) ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧନୁପାଲି ଥାନା ସମ୍ମୁଖ ଭୂତାପଡା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ପ୍ରାୟ ଦେଢ ଘଣ୍ଟା ଧରି ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ସମ୍ବଲପୁର ଏସପି ବି. ଗଙ୍ଗାଧର ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ଏସ୍‌ପି ଗଙ୍ଗାଧର କହିଛନ୍ତି ଯେ, ମୋବାଇଲ ଫୋନକୁ ନେଇ ଗଣେଶ ଓ ଅଭିଯୁକ୍ତଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଏହି ଘଟଣାରୁ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଜଣେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି। ମୃତକ ଗଣେଶଙ୍କ ଭଉଣୀ ତାରା ମୁଣ୍ଡା କହିଛନ୍ତି ଯେ, ତାଙ୍କ ଭାଇଙ୍କର କାହା ସହିତ ଶତ୍ରୁତା ନ ଥିଲା । ପ୍ରତିଦିନ ଭଳି ସେ ସାଙ୍ଗ ସହ ଘରୁ ବାହାରିଥିଲେ । ହେଲେ ତାଙ୍କୁ ହତ୍ୟା କରାଯାଇଥିଲା । ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି । ସୂଚନାଯୋଗ୍ୟ, ଶନିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଗଣେଶ ଓ ଲବ ସାଙ୍ଗ ହୋଇ ଏକ ଦୋକାନ ସମ୍ମୁଖରେ ଛିଡା ହୋଇଥିଲେ । ଏହି ସମୟରେ ଏକ ବାଇକ୍‌ରେ ଦୁଇ ଜଣ ଯୁବକ ଆସିଥିଲେ। ସେମାନେ ମଧ୍ୟରେ ବଚସା ହୋଇଥିଲା। ପରେ ଯୁବକ ଦ୍ୱୟ ଗଣେଶ ଓ ଲବଙ୍କୁ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଖବରପାଇ ପୋଲିସ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଜିଲା ସଦର ଡାକ୍ତରଖାନାକୁ ନେଇଥିଲା। ସେଠାରେ ଗଣେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଲବଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା।

Share