ସମ୍ପତ୍ତି ଲୋଭରେ ବାପାଙ୍କୁ ହତ୍ୟା

ବ୍ରହ୍ମପୁର,୧୯।୮(ସୁବାସ ଚନ୍ଦ୍ର ପାଢ଼ୀ): ସମ୍ପତ୍ତି ଲୋଭରେ ଜଣେ ବୃଦ୍ଧଙ୍କୁ ତାଙ୍କ ପୁଅ ଓ କିନ୍ନର ବୋହୂ ମିଶି ହତ୍ୟା କରିଥିବା ଘଟଣା ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ବ୍ରହ୍ମପୁର ଅଯୋଧ୍ୟାନଗର ୩ୟ ଲେନ୍‌ର ତଥା ରାଜସ୍ବ ବିଭାଗର ଅବସରପ୍ରାପ୍ତ କିରାଣି ଗରିବବନ୍ଧୁ ପଣ୍ଡା(୭୪)। ତାଙ୍କର ଇଞ୍ଜିନିୟର ପୁଅ ସନ୍ଦୀପ ପଣ୍ଡା(୪୪) ଓ କିନ୍ନର ବୋହୂ ଶ୍ରୀୟାଙ୍କୁ ପୋଲିସ ଗିରଫ ପରେ ରବିବାର କୋର୍ଟ ଚାଲାଣ କରିଛି। ଉଭୟେ ହତ୍ୟାକାଣ୍ଡ ଭିଆଇବା ପରେ ଏହାକୁ ଦୁର୍ଘଟଣାର ରୂପ ଦେଖିବାକୁ ସମସ୍ତ ଯୋଜନା କରିଥିଲେ ବୋଲି ସୂଚନା ମିଳିଛି। ଘରୁ ରକ୍ତଭିଜା ତକିଆ, ଶାର୍ଟ ଓ ଗଞ୍ଜି ଜବତ କରି ପୋଲିସ ତଦନ୍ତ ଚଳାଇଛି। ଅବସରପ୍ରାପ୍ତ କିରାଣି ଗରିବବନ୍ଧୁଙ୍କ ସ୍ତ୍ରୀଙ୍କ ୨ ବର୍ଷ ତଳେ ମୃତ୍ୟୁ ହୋଇଯାଇଛି। ତାଙ୍କ ଝିଅ ଆମେରିକାରେ ନିଜ ପରିବାର ସହ ରହୁଛନ୍ତି। ପୁଅ ସନ୍ଦୀପ ପୂର୍ବରୁ ମୁମ୍ବାଇରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ହେଲେ ସେ ସବୁବେଳେ ମଦ୍ୟପାନ କରୁଥିବାରୁ ଅନେକ ଦିନ ହେଲା ତାଙ୍କ ସ୍ତ୍ରୀ ଓ ଝିଅ ବାପଘରକୁ ଚାଲି ଯାଇଛନ୍ତି। ଘରେ ଗରିବବନ୍ଧୁ ଓ ତାଙ୍କ ପୁଅ ସନ୍ଦୀପ ରହୁଥିଲେ। ମୁମ୍ବାଇରେ ରହୁଥିବା ବେଳେ ମହାରାଷ୍ଟ୍ର ଥାନେ ଜିଲାର କାଲସ୍ବା ଥାନା ଅନ୍ତର୍ଗତ ଶିବାଜୀନଗରର କିନ୍ନର ଶ୍ରୀୟା ଓରଫ ପ୍ରବୀଣ କୁମାର ଶର୍ମାଙ୍କ ସହ ସନ୍ଦୀପଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ନିଜ ସ୍ତ୍ରୀଙ୍କଠାରୁ ଅଲଗା ହେବା ପରେ ଶ୍ରୀୟାଙ୍କୁ ସେ ସ୍ତ୍ରୀ ଭାବେ ଗ୍ରହଣ କରି ପ୍ରାୟ ୩ ମାସ ହେଲା ବ୍ରହ୍ମପୁର ଆଣି ଘରେ ରଖିଥିଲେ। ଉଭୟେ ଅଧିକାଂଶ ସମୟ ନିଶାସକ୍ତ ହୋଇ ଗରିବବନ୍ଧୁଙ୍କୁ ଗାଳିଗୁଲଜ କରିବା ସହ ମାର୍‌ପିଟ କରୁଥିଲେ। ବାପା କାଳେ ସମ୍ପତ୍ତି ଅନ୍ୟ କାହା ନାମରେ କରିଦେବେ ସନ୍ଦୀପ ଆଶଙ୍କାରେ ଥିଲେ। ଗତ ୧୬ ତାରିଖ ସକାଳେ ଗରିବବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ସନ୍ଦୀପ ଓ ଶ୍ରୀୟା ଏମ୍‌କେସିଜି ମେଡିକାଲକୁ ନେଇଥିଲେ। ହେଲେ ମେଡିକାଲରେ ପହଞ୍ଚିବା ପୂର୍ବରୁ ଗରିବବନ୍ଧୁଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ଡାକ୍ତର ଘୋଷଣା କରିଥିଲେ। ତାଙ୍କ ଛାତି ହାଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଡାକ୍ତରଙ୍କ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ବୈଦ୍ୟନାଥପୁର ଥାନା ପୋଲିସ ଅପମୃତ୍ୟୁ ମାମଲା(ନଂ.୫୩୯/୨୪) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏପଟେ ଘରେ ଚଟାଣରେ ପଡିଯିବାରୁ ବାପା ଗୁରୁତର ହୋଇଥିଲେ ବୋଲି ସନ୍ଦୀପ ଡାକ୍ତର ଓ ପୋଲିସକୁ କହିଥିଲେ। ହେଲେ ମୃତକଙ୍କ ଶରୀରରେ ଯେଭଳି କ୍ଷତ ହୋଇଥିଲା ତାକୁ ଦେଖି ପୋଲିସର ସନ୍ଦେହ ଉପୁଜିଥିଲା। ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ଗରିବବନ୍ଧୁଙ୍କ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲା। ୧୫ ତାରିଖ ରାତିରେ ସନ୍ଦୀପ ଓ ଶ୍ରୀୟା ମଦ୍ୟପାନ କରିବା ପରେ ଗରିବବନ୍ଧୁଙ୍କ ସହ ଝଗଡା କରିଥିଲେ। ଉଭୟେ ଉତ୍ତ୍ୟକ୍ତ ହୋଇ ଗରିବବନ୍ଧୁଙ୍କ ଉପରକୁ ଟେବୁଲ ଫ୍ୟାନ ଓ ଷ୍ଟିଲ ଆଲମିରା ପକାଇ ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘରର ବିଭିନ୍ନ ସ୍ଥାନରେ ରକ୍ତଛିଟା ପଡିଥିଲା। ହତ୍ୟାକୁ ଦୁର୍ଘଟଣା ରୂପ ଦେବାକୁ ସନ୍ଦୀପ ଓ ଶ୍ରୀୟା ତାହାକୁ ପୋଛାପୋଛି କରିଥିଲେ। ସକାଳେ ଆମେରିକାରେ ରହୁଥିବା ଭଉଣୀଙ୍କୁ ସନ୍ଦୀପ ବାପା ଅସୁସ୍ଥ ଥିବା ଫୋନ ଯୋଗେ ଜଣାଇଥିଲେ ବୋଲି ପୋଲିସ ସୂଚନା ଦେଇଛି।

Share