ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇ ଚାଲିଗଲେ ଅଭିଯୁକ୍ତ

ଝାରସୁଗୁଡ଼ା ଅଫିସ,୧୬ା୭: ଝାରସୁଗୁଡ଼ା ବେହେରାମାଲସ୍ଥିତ ମୁଡିମିଲ ଗଳିରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବକ ଜଣଙ୍କ ହେଲେ ବିପିନ ସାହା(୩୨। ତଙ୍କ ଘର ସ୍ଥାନୀୟ ପୁରୁଣାବସ୍ତିରେ। ତାଙ୍କ ନିକଟରୁ ପୋଲିସ ୭୪ ହଜାର ଟଙ୍କା, ମନିପର୍ସ,ଏଟିଏମ୍‌, ଡ୍ରାଇଭିଂ ଲାଇସେନ୍ସ ଓ ମୋବାଇଲ ଆଦି ଜବତ କରିଛି । ଏନେଇ ପୋଲିସ ଝାରସୁଗୁଡ଼ା ସଦର ଥାନା କେସ୍‌ ନଂ(୧୨୮/୨୧)ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରି ଫେରିଛି। ମୃତ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ରରେ ହଣା ଯାଇଥିବା କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ହତ୍ୟାକରି ଫେରାର ହୋଇଯାଇଛନ୍ତି। ଖବର ପାଇ ଏସ୍‌ପି ବିକାଶ ଚନ୍ଦ୍ର ଦାସ, ଏସ୍‌ଡିପିଓ ନିର୍ମଳ ମହାପାତ୍ର ପ୍ରମୁଖ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଏନେଇ ଏସ୍‌ପି ଦାସ କହିଛନ୍ତି, ଯୁବକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ସମୟରେ ସେ ପ୍ରତିରୋଧ କରିଛନ୍ତି । ଫଳରେ ଦୁର୍ବୃତ୍ତମାନେ ତାଙ୍କୁ ବାରମ୍ବାର ଆକ୍ରମଣ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ଏସ୍‌ପି କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରାତଃ ଭ୍ରମଣରେ ଯାଇଥିବା ଲୋକମାନେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।