ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମୁରିବାହାଲ ଏପିଓ

ବଲାଙ୍ଗୀର ଅଫିସ/ ମୁରିବାହାଲ,୮ା୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଆଡିସନାଲ ପ୍ରୋଗ୍ରାମ ଅଫିସର (ଏପିଓ) ସୁଶାନ୍ତ କୁମାର ଦାସ ଶୁକ୍ରବାର ଜଣେ ଗଁା ସାଥୀଙ୍କ ଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତ ଯୋଜନା (ଏମଜିଏନ୍‌ଆରଇଜିଏସ୍‌)ରେ ପୁନରୁଦ୍ଧାର କାର୍ଯ୍ୟର ବିଲ୍‌ ପାସ୍‌ କରିବା ପାଇଁ ଏପିଓ ଦାସ ଗଁା ସାଥୀଙ୍କୁ ପ୍ରଥମ କିସ୍ତିରେ ୪୫ ହଜାର ଟଙ୍କା ଦାବି କରିଥିଲେ। ଏନେଇ ସମ୍ପୃକ୍ତ ଗଁା ସାଥୀ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଗଁା ସାଥୀ ଜଣକ ଟଙ୍କା ନେଇ ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଭିତରେ ସମ୍ପୃକ୍ତ ଏପିଓ ଦାସଙ୍କୁ ଦେଇଥିଲେ। ଉକ୍ତ ଲାଞ୍ଚ ଟଙ୍କାକୁ ଦାସ ଗ୍ରହଣ କରିଥିଲେ। ଏହି ସମୟରେ ସେଠାରେ ଜଗି ରହିଥିବା ଭିଜିଲାନ୍ସ ବିଭାଗ ଟିମ୍‌ ଏପିଓ ଦାସଙ୍କୁ କାବୁକରି ନେଇ ତାଙ୍କଠାରୁ ଲାଞ୍ଚ ଟଙ୍କା ୪୫ ହଜାର ଜବତ କରିଥିଲେ। ଏହି ଘଟଣା ପରେ ଭିଜିଲାନ୍ସ ଟିମ୍‌ ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଓ ଏପିଓ ଦାସଙ୍କ ଅସୁର୍ଲା ଗଁାରେ ଥିବା ପୈତୃକ ଘରେ ଚଢ଼ାଉ କରିଥିଲେ। ବରଗଡ, ବଲାଙ୍ଗୀର ଜିଲା ଭିଜିଲାନ୍ସ ଟିମ୍‌ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। ଏପିଓ ଦାସଙ୍କୁ ଗିରଫ କରାଯାଇଛି।

Share