Categories: ଫୁରସତ

ପୋଡ଼ା ଖାଦ୍ୟର ସଂଗ୍ରହାଳୟ

ବେଳେ ବେଳେ ଅସାବଧାନତା ହେତୁ ରୋଷେଇ କରିବାବେଳେ ଖାଦ୍ୟ ଜଳିଯାଏ। ମନ ଭାରି ଖରାପ ଲାଗେ। ଆଉ ଆମେ ତାକୁ ଫୋପାଡିବାକୁ ବାଧ୍ୟ ହେଉ। କିନ୍ତୁ ଜାଣନ୍ତିକି ଏମିତି ଯଦି ଆଗକୁ କେବେ ହେଉଛି ମନ ଜମାରୁ ଦୁଃଖ କରିବେ ନାହିଁ, କି ସେହି ପୋଡା ଖାଦ୍ୟକୁ ଫୋପାଡ଼ିବେ ନାହିଁ। ବରଂ ତାକୁ ସାଇତି ରଖିବେ। କାରଣ ଆମେରିକା, ମାସାଚୁସେଟ୍‌ସ୍‌ରେ ଅଛି ପୋଡା ଖାଦ୍ୟର ସଂଗ୍ରହାଳୟ। ଏହି ସଂଗ୍ରହାଳୟରେ ବିଭିନ୍ନ ପ୍ରକାରର ପୋଡା ଖାଦ୍ୟ ପ୍ରଦର୍ଶିତ ହେଉଛି। ତେବେ ଏହାର ଆରମ୍ଭ ପଛରେ ଅଛି ଏକ ସତ କାହାଣୀ। ଥରେ ଗ୍ରାମୀ ଆଓ୍ବାର୍ଡ ପାଇଁ ଚୟନ ହୋଇଥିବା ଦେବୋରାହ ହେନସନ୍‌ କନାଣ୍ଟ ହଟ୍‌ ଆପଲ୍‌ ସାଇଡର୍‌ ତିଆରି କରୁଥାନ୍ତି। ଏତିକିବେଳେ ତାଙ୍କୁ କେହି ଫୋନ କଲେ। ସେ ଫୋନ୍‌ ରିସିଭ୍‌ କରି କଥା ହେଲେ। ଆଉ କଥା ଶେଷ ହେବା ବେଳକୁ ଦେଖିଲେ ତାଙ୍କ ଡିସ୍‌ଟି ପୁରାପୁରି ଜଳି ଯାଇଥିଲା। ପରେ ତାଙ୍କର ଏହି ଆପଲ ସାଇଡର୍‌କୁ ସଂଗ୍ରହ କରି ରଖାଯାଇଥିଲା। ଏହାପରଠାରୁ ଅନେକ ପୋଡା ଖାଦ୍ୟ ଉକ୍ତ ସଂଗ୍ରହାଳୟରେ ରଖାଗଲା। ଉକ୍ତ ସଂଗ୍ରହାଳୟରେ ପୋଡା ଲେମ୍ବୁ, ପୋଡ଼ା ମାଛ, ପୋଡ଼ା ଆଳୁ, ପୋଡା ଚିକେନ୍‌ ପରି ଅନେକ କିଛି ସଂଗ୍ରହ କରି ରଖାଯାଇଛି। ଏହି ସଂଗ୍ରହାଳୟ ବର୍ଷସାରା ଖୋଲା ରହେ।

Share