ବାରିପଦା ଅଫିସ,୧୪ା୧- ବିଶିଷ୍ଟ ଓଡ଼ିଆ ସଙ୍ଗୀତକାର ସରୋଜ ପଟ୍ଟନାୟକ(୮୧)ଙ୍କର ଗୁରୁବାର ରାତିରେ ବାରିପଦା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ରଚନା ସହ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ସ୍ବର ସଂଯୋଜିତ ଅନେକ ଗୀତ ଲୋକପ୍ରିୟ ହୋଇଥିଲା।
୧୯୪୦ ଜୁନ ୨ରେ ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଧୀନ ବଡ଼ବଜାରଠାରେ ସେ ଜନ୍ମଗ୍ରହଣ କରିଥିଲେ। ପିଲାବେଳରୁ ସଙ୍ଗୀତ ପ୍ରତି ତାଙ୍କର ଥିଲା ଅହେତୁକ ଆକର୍ଷଣ। ବୃତ୍ତିରେ ଇଞ୍ଜିନିୟର ଥିବା ସରୋଜଙ୍କୁ ମୟୂରଭଞ୍ଜର ପ୍ରାକୃତିକ ପରିବେଶ ଓ ଲୋକଗୀତ ବେଶ୍ ପ୍ରଭାବିତ କରିଥିଲା, ଯାହାକି ତାଙ୍କ ରଚିତ ଗୀତ ଓ ନିର୍ଦ୍ଦେଶିତ ସଙ୍ଗୀତରେ ଦେଖିବାକୁ ମିଳେ। ସେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଥିଲେ। ୧୯୭୭ରେ ଅଭିମାନ ଚଳଚ୍ଚିତ୍ର ମାଧ୍ୟମରେ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଥିଲେ। ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ପରେ ଫୁଲଚନ୍ଦନ, ଝିଅଟି ସୀତା ପରି, ଅଭିଳାଷ, ହାକିମ ବାବୁ ଆଦି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ସ୍ବର ସଂଯୋଜିତ ଲୋକପ୍ରିୟ ଗୀତଗୁଡ଼ିକ ହେଲା ‘ ଏଇ ଝୁମା ଝୁମା ଗୋଲାପି ବେଳାରେ, ତୋ ବିନା ଲାଗେନା ଭଲ, ଏଇଯେ ବନଲତା ପାହାଡ଼, ନାହିଁ ମୋ ପାଦେ ଆଜି ନୁପୂର’। ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶ୍ରେଷ୍ଠ ଗୀତିକାର ଭାବେ ସେ ସମ୍ମାନିତ ହୋଇଛନ୍ତି। ଫୁଲ ଚନ୍ଦନ ଓ ଅଭିଳାଷ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସଙ୍ଗୀତକାର ଭାବେ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଛି। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।