ଚର୍ଚ୍ଚାରେ ମସ୍କ-ନିକୋଲଙ୍କ ସମ୍ପର୍କ

ଓ୍ବାଶିଂଟନ୍‌, ୨୬।୭: ଆଉ ଏକ ବିବାଦରେ ଯୋଡ଼ି ହୋଇଯାଇଛି ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କ। ଗୁଗଲ କମ୍ପାନୀ ସହ-ପ୍ରତିଷ୍ଠାତା ସେରଗେ ବ୍ରିନ୍‌ ଓ ମସ୍କଙ୍କ ବନ୍ଧୁତାରେ ପଡ଼ିଯାଇଛି ପୂର୍ଣ୍ଣଚ୍ଛେଦ। ବ୍ରିନ୍‌ଙ୍କ ସ୍ତ୍ରୀ ନିକୋଲ ଶାନାହାନ ଓ ମସ୍କଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ଏହାର କାରଣ ବୋଲି କୁହାଯାଉଛି। ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ ଖବର ଅନୁସାରେ ଟେସ୍‌ଲା ସିଇଓ ମସ୍କ ଓ ନିକୋଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବ୍ରିନ୍‌ଙ୍କ ବୈବାହିକ ଜୀବନୀରେ ଫାଟ ସୃଷ୍ଟି କରିଥିଲା। ଏଥିପାଇଁ ବ୍ରିନ୍‌ ନିକୋଲଙ୍କଠାରୁ ଅଲଗା ହେବା ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁ କେବଳ ମସ୍କ ଓ ବ୍ରିନ୍‌ଙ୍କ ବନ୍ଧୁତା ନୁହେଁ, ସେମାନଙ୍କ ପ୍ରଫେସନାଲ ରିଲେଶନ୍‌ ମଧ୍ୟ ପ୍ରଭାବିତ ହୋଇଛି। ମସ୍କଙ୍କ କମ୍ପାନୀରେ ଥିବା ସମସ୍ତ ଶେୟାରକୁ ବ୍ରିନ୍‌ ବିକ୍ରି କରିଦେବା ପାଇଁ ତାଙ୍କ ଆର୍ଥିକ ପରାମର୍ଶଦାତାଙ୍କୁ ନିର୍ଦ୍ଦେଶ ଦେଇଥିବା ରିପୋର୍ଟରୁ ଜଣାପଡ଼ିଛି।
ମସ୍କ ଏହାକୁ ଖଣ୍ଡନ କରି ଏକ ଟୁଇଟ୍‌ରେ କହିଛନ୍ତି, ସେରଗେ ତାଙ୍କ ଭଲ ସାଙ୍ଗ। ଦିନକ ପୂର୍ବରୁ ଦୁହେଁ ଏକାଠି ପାର୍ଟି କରିଥିଲେ। ୩ ବର୍ଷ ଭିତରେ ନିକୋଲଙ୍କ ସହ ମାତ୍ର ୨ ଥର ତାଙ୍କ ଭେଟ ହୋଇଛି। ସେମାନଙ୍କ ମଧ୍ୟରେ କୌଣସି ପ୍ରେମ ସମ୍ପର୍କ ନାହିଁ।

Share