Categories: ଜାତୀୟ

ହରିୟାଣାରେ ମୁସଲିମ୍‌ ବ୍ୟବସାୟୀଙ୍କୁ ଟାର୍ଗେଟ୍‌

ନୂଆଦିଲ୍ଲୀ, ୪ା୭: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ପୂର୍ବତନ ଭାଜପା ପ୍ରବକ୍ତା ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତକର ପରିବେଶ ରହିଛି। ଏହାଦ୍ୱାରା ହିନ୍ଦୁ-ମୁସଲିମ୍‌ ସମ୍ପର୍କ ଅନେକାଂଶରେ ପ୍ରଭାବିତ ହୋଇଛି। ରାଜସ୍ଥାନର ଉଦୟପୁରରେ ଜଣେ ଦରଜି ଏବଂ ମହାରାଷ୍ଟ୍ରର ଅମରାବତୀରେ ଔଷଧ ଦୋକାନୀଙ୍କୁ ନୂପୁରଙ୍କୁ ସମର୍ଥନ ପାଇଁ କେତେଜଣ ମୁସଲମାନ ହତ୍ୟା କରିଛନ୍ତି। ଏଭଳିସ୍ଥଳେ ହରିୟାଣାର ମାନେସରଠାରେ ‘ହିନ୍ଦୁ ସୋସାଇଟି’ ଦ୍ୱାରା ଆୟୋଜିତ ଏକ ପଞ୍ଚାୟତ(ବୈଠକ)ରେ ମୁସଲମାନ ବ୍ୟବସାୟୀଙ୍କୁ ଅର୍ଥନୈତିକ ବାସନ୍ଦ କରିବା ନିମନ୍ତେ ଆହ୍ବାନ ଦିଆଯାଇଛି। ଏଥିପାଇଁ ଗ୍ରାମ ସ୍ତରରେ କମିଟି ଗଠନ କରାଯାଇ ମୁସଲମାନ ଦୋକାନୀ ଏବଂ ବେପାରୀଙ୍କଠାରୁ କୌଣସି ସାମଗ୍ରୀ ନ କିଣିବା ପାଇଁ ଅଭିଯାନ ଚଳାଇବାକୁ ପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଛି।

ମାନେସରର ଏକ ମନ୍ଦିରରେ ରବିବାର ଆୟୋଜିତ ଉକ୍ତ ପଞ୍ଚାୟତରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ। ସେଥିମଧ୍ୟରେ ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାଙ୍କ ସମେତ ମାନେସର, ଧରୁହେରା, ଗୁରୁଗ୍ରାମ ଆଖପାଖ ଗ୍ରାମରୁ ଲୋକ ଥିଲେ। ବେଆଇନ ଭାବେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରି ବିତାଡ଼ିତ କରିବା ପାଇଁ ପଞ୍ଚାୟତ ସଦସ୍ୟମାନେ ଏକ ସ୍ମାରକପତ୍ର ମାଧ୍ୟମରେ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଦାବି କରିଛନ୍ତି। ଅନୁପ୍ରବେଶକାରୀମାନେ ଧର୍ମାନ୍ତରୀକରଣରେ ନିୟୋଜିତ ଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ମାରକପତ୍ରରେ ଦର୍ଶାଯାଇଛି।
ମାନେସରର ବିଶ୍ୱହିନ୍ଦୁ ପରିଷଦ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସିଂ କହିଛନ୍ତି ଯେ, ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି। ଅନେକ ରୋହିଙ୍ଗ୍ୟା, ବାଂଲାଦେଶୀ, ପାକିସ୍ତାନୀ ନିଜ ଅସଲ ପରିଚୟ ଲୁଚାଇ ବେଆଇନ ଭାବେ ମାନେସର ଏବଂ ଗୁରୁଗ୍ରାମରେ ରହିିି ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ କରୁଛନ୍ତି। ସେମାନଙ୍କୁ ଚିହ୍ନଟ କରିବାକୁ ପ୍ରଶାସନକୁ ଏକ ସପ୍ତାହ ସମୟ ଦିଆଯାଇଛି। କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ହିନ୍ଦୁ ସୋସାଇଟି ପଦକ୍ଷେପ ନେବ ବୋଲି ସିଂ କହିଛନ୍ତି। ମୁସଲମାନ ବ୍ୟବସାୟୀମାନେ ଜୁସ୍‌, ସାଲୁନ ଭଳି କେତେକ ଦୋକାନ ହିନ୍ଦୁ ଦେବଦେବୀଙ୍କ ନଁାରେ ଚଳାଉଛନ୍ତି। ଏହା ଏକ ଷଡ଼ଯନ୍ତ୍ର। ତେଣୁ ଅର୍ଥନୈତିକ ବାସନ୍ଦ ହିଁ ଏକମାତ୍ର ସମାଧାନ ବୋଲି ପଞ୍ଚାୟତରେ ଅନେକ ବକ୍ତା କହିଛନ୍ତି।
ସୂଚନାଥାଉ କି, ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗତ ବୁଧବାର ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦ ସଦସ୍ୟମାନେ ଏକ ଶୋଭାଯାତ୍ରା ବାହାର କରିଥିଲେ। ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଇବା ଭଳି ଅପମାନଜନକ ଭାଷାରେ ସ୍ଲୋଗାନ ଦିଆଯାଇଥିବାରୁ ଗୁରୁଗ୍ରାମ ପୋଲିସ ଶୋଭାଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜାମା ମସ୍‌ଜିଦ୍‌ ନିକଟରେ ମୁସଲିମ୍‌ ସମ୍ପ୍ରଦାୟ ବିରୋଧରେ ଉତ୍ତେଜକ ସ୍ଲୋଗାନ ଦିଆଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନିଜଆଡୁ ମାମଲା ରୁଜୁ କରିଛି।

Share