ମୁସଲମାନ ପରିବାର କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର…

ପାଟନା, ୩।୭ : ଧର୍ମ ଅପେକ୍ଷା ମାନବିକତା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିହାର ରାଜା ବଜାରର ସାବନପୁରାର ଏକ ମୁସଲମାନ ପରିବାର ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରାମଦେବ ଶାହା ନାମକ ଜଣେ ହିନ୍ଦୁ ବୃଦ୍ଧଙ୍କ କୋକେଇକୁ ସଜାଇବା ପରେ ମୁସଲମାନ ପରିବାରର ସଦସ୍ୟମାନେ ତାଙ୍କୁ କାନ୍ଧେଇ ନେଇ ଶେଷ ରୀତିନୀତି ସମ୍ପନ୍ନ କରିଛନ୍ତି।

ସାବନପୁରାକୁ ରାମଦେବ ୨୫ ବର୍ଷ ପୂର୍ବେ ଅରମାନ ନାମକ ଜଣେ ମୁସଲମାନଙ୍କ ଦୋକାନରେ ଆସି ପହଞ୍ଚିଥିଲେ। ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ଦୟା ଦେଖାଇ ରାମଦେବଙ୍କୁ ଅରମାନ ନିଜ ଦୋକାନରେ କାମରେ ରଖିଥିଲେ। ରାମଦେବ ପାଠପଢ଼ିଥିଲେ। ସେ ଦୋକାନର ହିସାବ ରଖିବା କାମ କରୁଥିଲେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାମଦେବ ଅରମାନ୍‌ଙ୍କ ପରିବାର ସଦସ୍ୟ ଭଳି ରହିଆସୁଥିଲେ।

ଗତ ଶୁକ୍ରବାର ୭୫ ବର୍ଷୀୟ ରାମଦେବଙ୍କ ଦେହାନ୍ତ ଘଟିଥିଲା। ଅରମାନଙ୍କ ପରିବାର ଏବଂ ଆଖପାଖର ମୁସଲମାନ ସମ୍ପ୍ରଦାୟର ଲୋକମାନେ ସହଯୋଗ କରି ରାମଦେବଙ୍କ ଅନ୍ତିମ ସଂସ୍କାର ପାଇଁ ଅଣ୍ଟା ଭିଡ଼ିଥିଲେ। ସେମାନେ କୋକେଇ ପ୍ରସ୍ତୁତ କରି କାନ୍ଧରେ ରାମଦେବ ମୃତଦେହକୁ ଶ୍ମଶାନକୁ ନେଇଥିଲେ। ଏହା ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଥିଲା। ରାମଦେବଙ୍କ ମୃତ୍ୟୁରେ ଅରମାନଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ରାମଦେବଙ୍କ ପରିବାରରେ କେହି ନଥିଲେ।

Share