Categories: ଜାତୀୟ

ମୁସଲମାନ୍‌ ଯୁବତୀ-ହିନ୍ଦୁ ଯୁବକଙ୍କ ବିବାହ ନୁହେଁ ବୈଧ: ହାଇକୋର୍ଟ

ଚଣ୍ଡିଗଡ଼,୧୩।୩: ପଞ୍ଜାବ ହରିୟାଣା ହାଇକୋର୍ଟ ମୁସଲମାନ୍‌ ଯୁବତୀ ଏବଂ ହିନ୍ଦୁ ଯୁବକଙ୍କ ମଧ୍ୟରେ ବିବାହ ବୈଧ ନୁହେଁ ବୋଲି ରାୟ ଦେଇଛନ୍ତି। ଏକ ମାମଲାର ବିଚାର କରି କୋର୍ଟ ଏଭଳି କହିଛନ୍ତି। ଜଣେ ମୁସଲମାନ ଯୁବତୀଙ୍କୁ ଦୀର୍ଘ ଦିନ ଧରି ପ୍ରେମ କରୁଥିବା ହିନ୍ଦୁ ଯୁବକ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ଏକ ଶିବମନ୍ଦିରରେ ଜାନୁୟାରୀ ୧୫ରେ ସମ୍ପୂର୍ଣ୍ଣ ହିନ୍ଦୁ ପରମ୍ପରାରେ ଏଭଳି କରିଥିଲେ। ବିବାହ ପରେ ଯୁବତୀ ଏବଂ ଯୁବକ ଉଭୟଙ୍କ ପରିବାର ପକ୍ଷରୁ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ହାଇକୋର୍ଟ କହିଥିଲେ ଯେ, ମୁସଲମାନ ଯୁବତୀ ହିନ୍ଦୁ ଧର୍ମ ନ ଆପଣେଇବା ପର୍ଯ୍ୟନ୍ତ ବିବାହକୁ ବୈଧ ଭାବେ ଗ୍ରହଣ କରାଯିବ ନାହିଁ। ହିନ୍ଦୁ ବିବାହ ପରମ୍ପରା ଅନୁସାରେ ଏହି ବିବାହ ବୈଧ ନୁହେଁ। ମାତ୍ର ଉଭୟ ସାବାଳକ ହୋଇଥିବାରୁ ସେମାନେ ଏକାଠି ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହି ପାରିବେ। ଏନେଇ ଉପଯୁକ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ସମ୍ପର୍କିତ ନିର୍ଣ୍ଣୟ ନେବାକୁ କୋର୍ଟଙ୍କ ପକ୍ଷରୁ ଅମ୍ବାଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share