Categories: ଜାତୀୟ

ମୁସଲିମ ଯୁବକଙ୍କୁ ପିଟି ପିଟି ହତ୍ୟା କରି ପୋତି ଦେଲେ

ପାଟଣା,୨୩।୨: ସୋସିଆଲ ମିଡିଆରୁ ଏକ ବିଚଳିତ କଲା ଭଳି ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ମୁସଲିମ ଯୁବକଙ୍କୁ ଗୋରକ୍ଷକ ଦର୍ଶାଉଥିବା ଏକ ଗୋଷ୍ଠୀ ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି। ଏଭଳି ଘଟଣା ଘଟିଛି ବିହାରରେ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ପୀଡ଼ିତଙ୍କୁ ପିଟି ପିଟି ହତ୍ୟା କରିବା ପରେ ନଦୀ କୂଳରେ ତାଙ୍କ ମୃତଦେହ ପୋତି ଦିଆଯାଇଥିଲା। ପ୍ରଥମେ ଆକ୍ରମଣକାରୀମାନେ ପେଟ୍ରୋଲ ପକାଇ ମୃତଦେହକୁ ଜାଳି ଦେବାକୁ ଉଦ୍ୟମ କରିଥିଲେ। ପରେ ସେମାନେ ମୃତଦେହରେ ଲୁଣ ଲଗାଇ ପୋତି ଦେଇଥିଲେ। ଯାହା ଫଳରେ ମୃତଦେହ ଶୀଘ୍ର ନଷ୍ଟ ହୋଇଯିବ।

ଭିଡିଓରେ ଜନତା ଦଳ (ୟୁନାଇଟେଡ୍‌) ଦଳୀୟ ନେତା ମହମ୍ମଦ ଖଲିଲ ଆଲାମ ହାତ ଯୋଡ଼ି ଆକ୍ରମଣକାରୀଙ୍କୁ ଛାଡ଼ି ଦେବା ପାଇଁ ନେହୁରା ହେଉଥିବା ଦେଖିବାକୁ ମିଳୁଛି। ଆକ୍ରମଣକାରୀଙ୍କ ଚେହେରା ଦେଖାଯାଉ ନାହିଁ। ତେବେ ଭାଇରାଲ ଭିଡିଓର ପ୍ରମାଣିକତା ଜଣା ପଡ଼ିନାହିଁ।

ବିହାରର ବିରୋଧୀ ଦଳ ନେତା ତେଜଶ୍ୱୀ ଯାଦବ ଉକ୍ତ ଘଟଣାର ଏକ ହିନ୍ଦୀ ନ୍ୟୁଜ କ୍ଲିପ୍‌କୁ ଶେୟାର କରି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି।

“ଏନ୍‌ଡିଏ ସରକାରଙ୍କ ଅମଳରେ ବିହାରରେ ଆଇନ ବ୍ୟବସ୍ଥା ଉଭେଇ ଯାଇଛି। ଜଣେ ମୁସଲିମ ଯୁବକ(ଜେଡିୟୁ ନେତା)ଙ୍କୁ ମାଡ଼ ମାରି ଜିବନ୍ତ ଜାଳି ଦିଆଯିବା ପରେ ପୋତି ଦିଆଯାଇଥିଲା। ନୀତିଶ କୁମାରଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ” ବୋଲି ତେଜଶ୍ୱୀ ହିନ୍ଦୀରେ ଟୁଇଟ୍‌ କରିଛନ୍ତି।

Share