Categories: ଜାତୀୟ

ହନୁମାନ ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ଜମି ଦାନ କଲେ ମୁସଲମାନ ବ୍ୟକ୍ତି

ବେଙ୍ଗାଲୁରୁ,୯।୧୨: କର୍ନାଟକର ବେଙ୍ଗାଲୁରୁରେ ଭାଇଚାରାର ଏକ ଅନନ୍ୟ ଉଦାହାରଣ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ମୁସଲମାନ ସ୍ବେଚ୍ଛାକୃତ ଭାବରେ ଏକ ବୃହତ ହନୁମାନ ମନ୍ଦିର ନିର୍ମାଣ ପାଇଁ ତାଙ୍କ ଜମି ଦାନ କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଜମିର ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଛୋଟ ହନୁମାନ ମନ୍ଦିରରେ ଲୋକମାନେ ପୂଜା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେଠାରେ ପୂଜାପାଠ କରିବାକୁ ଭକ୍ତଙ୍କ ଭିଡ ଜମୁଥିଲା। ତେଣୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଏହି ପଦକ୍ଷେପ ନେଇଥିଲେ।
ମନ୍ଦିର ପାଇଁ ଦାନ କରିଥିବା ମୁସଲମାନ ବ୍ୟକ୍ତିଙ୍କ ନାମ ହେଉଛି ଏଚଏମଜି ବାଶା। ୬୫ ବର୍ଷିୟ ବାଶା କାର୍ଗୋ ବ୍ୟବସାୟ କରନ୍ତି। ସେ ବେଙ୍ଗାଲୁରୁର କାଡୁଗୋଡି ଅଞ୍ଚଳରେ ବାସ କରନ୍ତି। ବେଙ୍ଗାଲୁରୁର ମାୟଲାପୁରା ଅଞ୍ଚଳରେ ତାଙ୍କର ପ୍ରାୟ ୩ ଏକର ଜମି ଅଛି। ଆଜି ଏହି ଜମିର ମୂଲ୍ୟ କୋଟି କୋଟି ଟଙ୍କା। ତାଙ୍କ ଜମି ପାଖରେ ଏକ ପ୍ରାଚୀନ ହନୁମାନ ମନ୍ଦିର ଅଛି। ଏହି ମନ୍ଦିର ଉପରେ ଲୋକଙ୍କର ଅଦମ୍ୟ ବିଶ୍ୱାସ ରହିଛି । ତେଣୁ ପ୍ରତିଦିନ ବହୁ ସଂଖ୍ୟାରେ ଭକ୍ତ ସେଠାକୁ ଆସି ହନୁମାନଙ୍କୁ ପୂଜା କରନ୍ତି। ମନ୍ଦିର ଛୋଟ ଥିବାରୁ ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ମନ୍ଦିର କମିଟି ମଧ୍ୟ ପୂର୍ବରୁ ମନ୍ଦିରର ସମ୍ପ୍ରସାରଣ ପାଇଁ ଯୋଜନା କରିଥିଲା। ଜମି ପାଇଁ ମନ୍ଦିର କମିଟି ବାଶାଙ୍କ ସହ କଥାବାର୍ତ୍ତା କରିବାକୁ ରାଜି ନ ଥିଲା। ନିକଟରେ ବାଶା ନିଜେ ଆସି ମନ୍ଦିର କମିଟିକୁ ଜମି ଦାନ କରିବାକୁ କହିଥିଲେ। ସ୍ଥାନୀୟ ଅଞ୍ଚଳରେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି । ଲୋକେ ତାଙ୍କୁ ପ୍ରଶଂସା ଓ ଧନ୍ୟବାଦ ଦେବା ପାଇଁ ମନ୍ଦିର ଚାରିପାଖରେ ସେମାନଙ୍କର ପୋଷ୍ଟର ଏବଂ ବ୍ୟାନର ଲଗାଇଛନ୍ତି। ଏବେ ମନ୍ଦିରର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

Share