Categories: ଜାତୀୟ

ମୁସଲିମ ବ୍ୟକ୍ତିଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଗଲା

ଭୋପାଳ,୨୯।୮: “ଜୟ ଶ୍ରୀରାମ କହିବାରେ କ’ଣ ଅଛି। ମୋ କଥା ଶୁଣ। ଜୟ ଶ୍ରୀରାମ କହିବାକୁ ପଡ଼ିବ”। ଏଭଳି କହି ଦୁଇ ଜଣ ବ୍ୟକ୍ତି ଜଣେ ମୁସଲିମ ବେପାରିଙ୍କୁ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିଥିଲେ। ଶେଷରେ ପୀଡ଼ିତ ଅଭିଯୁକ୍ତଙ୍କ ସାମ୍ନାରେ ହାର ମାନି ଜୟ ଶ୍ରୀରାମ କହିଥିଲେ। ମଧ୍ୟପ୍ରଦେଶର ଉଜେନ ଜିଲାରେ ଶନିବାର ଏଭଳି ଘଟଣା ଘଟିଛି। ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି ବିଭିନ୍ନ ସୋସିଆଲ ମିଡିଆରେ। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।

ଜୟ ଶ୍ରୀରାମ ନ କହିଲେ ଗାଁରେ ବ୍ୟବସାୟ କରିପାରିବ ନାହିଁ ବୋଲି ପୀଡ଼ିତଙ୍କୁ ଧମକ ଦିଆଯାଇଥିଲା। ସେ ବିକ୍ରି କରିବାକୁ ଆଣିଥିବା ସ୍କ୍ରାପକୁ ତାଙ୍କ ଗାଡ଼ିରୁ ଫୋପାଡ଼ି ଦେଇଥିଲେ। ବାଧ୍ୟ ହୋଇ ତାଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ପଡ଼ିଥିଲା। ପୀଡ଼ିତ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ଘଟଣା କ୍ଷମଣୀୟ ନୁହେଁ ବୋଲି ମାହିଦପୁର ସବ୍‌-ଡିଭିଜନାଲ ପୋଲିସ ଅଧିକାରୀ ଆର କେ ରାଇ କହିଛନ୍ତି।

Share