ଫେଲ୍‌ ମାରିଲେ ଇଞ୍ଜିନିୟର, ମୁସଲମାନ ମିସ୍ତ୍ରୀ ସ୍ଥାପନ କଲେ ଦେଢ଼ ଟନ୍‌ର ଶିବଲିଙ୍ଗ

ଭୋପାଳ,୧୩ା୨: ମଧ୍ୟପ୍ରଦେଶର ମନ୍ଦସୌରରେ ବିଶ୍ୱ ବିଖ୍ୟାତ ଅଷ୍ଟମୁଖୀ ଭଗବାନ ପଶୁପତିନାଥ ମହାଦେବ ମନ୍ଦିର ରହିଛି। ଏଠାରେ ସହସ୍ରେଶ୍ୱର ମହାଦେବଙ୍କ ପ୍ରତିମା ସ୍ଥାପନ କରାଯାଇଛି। ଏହି ଶିବଲିଙ୍ଗର ଗୋଲେଇ ଏବଂ ଲମ୍ବା ୬.୫୦ ଫୁଟ। ଏହା କ୍ରେନ୍‌ ସାହାଯ୍ୟରେ ସ୍ଥାପନ କରାଯାଇଛି। ପ୍ରଶାସନ ପିଡବ୍ଲ୍ୟୁଡି, ପିଏଚ୍‌ଇ, ଜିଲା ପଞ୍ଚାୟତ ସହିତ ସମସ୍ତ ଭିଗାଗର ଇଞ୍ଜିନୟରମାନଙ୍କୁ ଡକାଇଥିଲେ। ମାତ୍ର ଜଳାଧାରୀରେ ଏହାକୁ କେହି ସ୍ଥାପନ କରିପାରିଲେ ନାହିଁ। ଶେଷରେ ଜଣେ ମୁସଲମାନ ମିସ୍ତ୍ରୀ ଏହାର ଦାୟିତ୍ୱ ନେଇଥିଲେ।

ଯେତେବେଳେ ଜଳାଧାରୀରେ ଶିବଲିଙ୍ଗ ସ୍ଥାପନ କରିବାକୁ ବଡ଼ ବଡ଼ ଇଞ୍ଜିନିୟର ଫେଲ୍‌ ମାରିଲେ ସେହି ସମୟରେ ମୁସଲମାନ ମସ୍ତ୍ରୀ ଜଣକ ଏହାକୁ ନିଜେ କରିପାରିବେ ବୋଲି ପ୍ରଶାସନକୁ ଭରସା ଦେଇଥିଲେ। ପ୍ରଥମେ ବରଫ ମଗାଇ ଏହାକୁ ଗୋଲାକାର ଭାବେ କଟାଯାଇଥିଲା। ପରେ ଏହା ଉପରେ ଶିବଲିଙ୍ଗ ରଖାଯାଇଥିଲା। ଯେମିତି ଧିରେ ଧିରେ ବରଫ ତରଳିଲା ସେମିତି ଶିବଲିଙ୍ଗ ଜଳାଧାରୀରେ ରହିଗଲା। ଏବେ ସମସ୍ତେ ମୁସଲମାନ ମିସ୍ତ୍ରୀ ମକବୁଲ ହୁସେନଙ୍କୁ ପ୍ରଶଂସା କରୁଛନ୍ତି। ମକବୁଲ ଗରିବ ହୋଇଥିବାରୁ ସ୍କୁଲ ମାଟି ମାଡ଼ିନାହାନ୍ତି। ସେ ସାଉଦି ଆରବରେ ୮ ବର୍ଷ ମିସ୍ତ୍ରୀ ଭାବରେ କାମ କରିଥିଲେ। ଏଥିସହିତ କିଛି ମନ୍ଦିର ତିଆରି କରିବା ତାଙ୍କର ଅଭିଜ୍ଞତା ଥିଲା।

ସବୁଠୁ ଆଶ୍ଚର୍ଯ୍ୟର କଥା ଯାହାକୁ ଇଞ୍ଜିନିୟରମାନେ ପାରୁ ନ ଥିଲେ। ମକବୁଲ କିଛି ସମୟ ମଧ୍ୟରେ ଏହାକୁ ସମାଧାନ କରିଥିଲେ। ମକବୁଲ କୁହନ୍ତି, ଆଲ୍ଲା, ଈଶ୍ୱର ଏକା। ମୁଁ ବହୁତ ଖୁସି ଯେ, ମୋତେ ଏହି କାମ କରିବାର ସୁଯୋଗ ମିଳିଛି। ଏହି ଶିବଲିଙ୍ଗକୁ ୧୫୦୦ ବର୍ଷ ପୂର୍ବେ ଦଶପୁରର ହୋଲକର ସମ୍ରାଟଙ୍କ ରାଜୁତି କାଳରେ ଚୂନ ଆଉ ବାଲିରେ ତିଆରି କରାଯାଇଥିଲା। ଏହି ଶିବଲିଙ୍ଗ ଶିବନା ନଦୀରୁ ମିଳିଥିଲା। ଅଷ୍ଟମୁଖୀ ପଶୁପତିନାଥଙ୍କ ମୂର୍ତ୍ତି ମଧ୍ୟ ଶିବନା ନଦୀରୁ ମିଳିଥିଲା। ଏହି ଶିବଲିଙ୍ଗ ପାଇଁ ଜଳାଧାରୀ ଗୁଜରାଟରେ ତିଆରି କରାଯାଇଥିଲା। ଯାହାର ଓଜନ ସାଢ଼େ ୩ ଟନ୍‌ ଏବଂ ଶିବଲିଙ୍ଗର ଓଜନ ଦେଢ଼ ଟନ୍‌।

Share