Categories: ଜାତୀୟ

ଭାଜପାକୁ ଭୋଟ ଦେଇଥିଲେ ମୁସଲିମ ମହିଳା, ଭାଉଜଙ୍କୁ ନିସ୍ତୁକ ଭାବେ ପିଟିଲେ ଦିଅର

ଭୋପାଳ,୯।୧୨: ମଧ୍ୟପ୍ରଦେଶର ସେହୋରରେ ଆଶ୍ଚର୍ଯ୍ୟ କରିଦେବା ଘଟଣା ସାମ୍ନାକୁ ଆସିଛି। ଜଣେ ମୁସଲମାନ ସମ୍ପ୍ରଦାୟର ମହିଳା ଭାଜପାକୁ ଭୋଟ ଦେଇଥିବାରୁ ତାଙ୍କ ଦିଅର ତାଙ୍କୁ ନିସ୍ତୁକ ଭାବେ ମାଡ ମାରିଛନ୍ତି। ଦିଅର ଜଣକ ତାଙ୍କୁ ଚାପୁଡା, ଗୋଇଠା ଓ ନିର୍ମମ ଭାବେ ବାଡିରେ ମଧ୍ୟ ମାରିଛନ୍ତି। ଏହାପରେ ମହିଳା ଜଣକ ନିଜ ବାପାଙ୍କୁ ସାଙ୍ଗରେ ନେଇ ଥାନାରେ ମାମଲା ରୁଜୁ କରିଛନ୍ତି। ପୋଲିସ ପାଖରେ ମାମଲା ରୁଜୁ କରିବା ସତ୍ତ୍ୱେ ଦିଅରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ସେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଦିଅରଙ୍କ ବିରୋଧରେ ମାରପିଟ କରିବା ଓ ଜୀବନରୁ ମାରିଦେବା ନେଇ ଧମକ ଦେଇଥିବା ଅଭିଯୋଗରେ ମାମଲା ରୁଜୁ କରିଛି।

ସେହୋରର ଅହମ୍ମଦପୁର ପୋଲିସ ଷ୍ଟେଶନର ବାରଖଡା ହାସନ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି। ମୁସଲିମ ମହିଳା ଜଣକ ତାଙ୍କ ଦିଅର ଜାଭେଦ ଖାନଙ୍କ ଉପରେ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି।
ଘଟଣା ଅନୁଯାୟୀ, ମହିଳା ଜଣକ ଡିସେମ୍ବର ୪ ସଂଧ୍ୟା ୫ଟାରେ ନିର୍ବାଚନରେ ଭାଜପାର ବିଜୟକୁ ନେଇ ନିଜ ପିଲାଙ୍କ ସହ ଉତ୍ସବ କରୁଥିଲେ। ଏହି ସମୟରେ ଦିଅର ଆସି ଭାଜପାକୁ କାହିଁକି ଭୋଟ ଦେଲେ ବୋଲି ପ୍ରଶ୍ନ କରିଥିଲେ। ପ୍ରଶ୍ନ ଶୁଣି ମହିଳା ଜଣକ କହିଥିଲେ, ଏହା ମୋର ବ୍ୟକ୍ତିଗତ ଅଧିକାର। ଯେଉଁଠି ଚାହିଁବି ସେଇଠି ଭୋଟ ଦେବି। ଏହାପରେ ଦିଅର ତାଙ୍କୁ ଖରାପ ଶଦ୍ଦ କହିବା ସହ ମାରପିଟ କରିଥିଲେ। ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

Share