Categories: ଜାତୀୟ

ଚଳିତ ବର୍ଷ ରାମଲଲାଙ୍କୁ ରାକ୍ଷୀ ବାନ୍ଧିବେ ମୁସଲମାନ ମହିଳା

ଅଯୋଧ୍ୟା,୨୮।୭: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରୁଥିବା ମୁସଲମାନ ମହିଳାମାନେ ଏଥର ରାକ୍ଷୀ ତିଆରି କରିଛନ୍ତି। ଏହି ରାକ୍ଷୀକୁ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ମାଧ୍ୟମରେ ରାମଲଲାଙ୍କୁ ବନ୍ଧାଯିବ ବୋଲି ଜଣାପଡିଛି। ସମସ୍ତ ମୁସଲମାନ ମହିଳା ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରୁଛନ୍ତି। ଏହାସହ ଏମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମଧ୍ୟ ରାକ୍ଷୀ ପଠାଇବାର ଯୋଜନା କରିଥିବା ଜଣାପଡିଛି। ତେବେ ରାମଲଲାଙ୍କ ପାଇଁ ଅଗଷ୍ଟ ୫ରେ ଏହି ରାକ୍ଷୀ ଟ୍ରଷ୍ଟ ମାଧ୍ୟମରେ ପଠାଇ ଦିଆଯିବା ବ୍ୟବସ୍ଥା କରାଯାଇଛି। ଅଗଷ୍ଟ ୫ରେ ସେଠାରେ ରାମ ମନ୍ଦିର ନିର୍ମାଣର ଭୂମିପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଅବସରରେ ସେମାନେ ରାକ୍ଷୀ ପଠାଇବା କଥା ଚିନ୍ତା କରିଛନ୍ତି। ଏହାଦ୍ୱାରା ସେଠାରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ ବୋଲି ସେମାନେ ଆଶା ରଖିଛନ୍ତି। ସେହିପରି ରାମ ମନ୍ଦିର ନିର୍ମାଣରେ ମୁସଲମାନ ଭାଇମାନଙ୍କର ସହଯୋଗ ସେମାନେ ଆଶା କରିଛନ୍ତି।

Share