ଜଳେଶ୍ୱର,୯।୨(ଡି.ଏନ.ଏ.) ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀ କୂଳେ କୂଳେ ବ୍ୟାପକ ସୋରିଷ ଚାଷ ହୋଇଛି। ଚଳିତବର୍ଷ ଥଣ୍ଡା ପାଗ ରହିଥିବାରୁ ଭଲ ଫସଲ ଅମଳ ହେବ ବୋଲି ଚାଷୀ ଆଶା ବାନ୍ଧି ବସିଛି। ହେଲେ ଅଦିନିଆ ବର୍ଷା ଡରରେ ଚାଷୀମାନେ ଭରସା କରି ନ ପାରି ଆଶଙ୍କା ମଧ୍ୟରେ କାଳାତିପାତ କରୁଛନ୍ତି। ା
ଜଳେଶ୍ୱର ବ୍ଲକ ମଧ୍ୟ ଦେଇ ବହିଯାଇଛି ସୁବର୍ଣ୍ଣରେଖା ନଦୀ। ନିକଟରେ ଥିବା ଜମିଗୁଡିକର ମାଟି ପଟୁ ଓ ବାଲିଆଯୁକ୍ତ ା ଫଳରେ ଅନ୍ୟାନ୍ୟ ଚାଷ ସହିତ ସୋରିଷ ଚାଷ ଭଲ ହୋଇଥାଏ ା ସାଧାରଣ ସୋରିଷ ୧୨୦ ଦିନରୁ ୧୨୫ ଦିନ ମଧ୍ୟରେ ଅମଳ ହୋଇଥାଏ। ଚଳିତବର୍ଷ ଜଳେଶ୍ୱରରେ ୧୪୦ ଦିନରେ ଅମଳ ହେବାକୁ ଥିବା ଗିରିରାଜ ସୋରିଷ ହୋଇଛି। ନଭେମ୍ବରରୁ ଅଦ୍ୟାବଧି ପାଗ ଥଣ୍ଡା ରହିଥିବାରୁ ସୋରିଷ ଭଲ ହୋଇଛି। ଜଳେଶ୍ୱର ବ୍ଲକର ରାୟାଁରାମଚନ୍ଦ୍ରପୁର, ବାଇଗଣବାଡ଼ିଆ, ପାଇକସିଦା, ମାକିଡ଼ିଆ, ରାଜପୁର, ମହମ୍ମଦନଗରପାଟଣା, ଖୁଦିଆମାଝିସାହି, ଗଡ଼ସାହି ବାଲିଆପାଳ, ଶ୍ରୀରାମପୁର, ଶିଖରପୁର ପଞ୍ଚାୟତରେ ଗିରିରାଜ ସୋରିଷ ଚାଷ ହୋଇଛି। ଉପରୋକ୍ତ ପଞ୍ଚାୟତରେ ଚାଷ ହୋଇଥିବା ୧୮୭୫ ଏକର ଜମିକୁ ବିଡିଓ ଓ ମୁଖ୍ୟ ଜିଲା କୃଷି ଅଧିକାରୀ ନିକୁଞ୍ଜ ବିହାରୀ ରାଉତ ବୁଲି ଦେଖିଥିଲେ। ଚଳିତବର୍ଷ ସରକାର ୩୭୮ ଏକର ଜମିରେ ସୋରିଷ ଚାଷ ଲାଗି ବିହନ ମାଗଣାରେ ଯୋଗାଇଛନ୍ତି। ପ୍ରତି ବ୍ୟକ୍ତିଙ୍କୁ ୨ କେଜି ଲେଖାଏଁ ବିହନ କିଟସ୍ ଦିଆଯାଇଥିବା ବେଳେ କ୍ଷେତ ପୋଖରୀ ଯୋଜନାରେ ୪୭ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଚଳିତବର୍ଷ ରାୟାଁରାମଚନ୍ଦ୍ରପୁରରେ ୭୫ଏକର, ବାଇଗଣବାଡ଼ିଆ, ନମକନାରେ ୧୫୦ ଏକର, ଚିତମିଶ୍ରାରେ ୩୦ଏକର, ମାକିଡିଆ, ଚାଲନ୍ତି, ଗଡସାହି ବାଲିଆପାଳରେ ପ୍ରାୟ ୬୦ ଏକର ଜମିରେ ସୋରିଷ ଚାଷ ହୋଇଥିବା ଜଣାଯାଇଛି ା
ମାଗଣାରେ ସରକାରୀ ବିହନ ସହିତ କୀଟନାଶକ, ଅଣୁସାର, କଲଚର ଆଦି ଅର୍ଥ ଚାଷୀଙ୍କୁ ସିଧାସଳଖ ଦେବା ପାଇଁ ଡିବିଟିର ସୁଯୋଗ ନେବାକୁ କୃଷି ଅଧିକାରୀମାନେ ଚାଷୀମାନଙ୍କୁ ସଚେତନ କରାଇ ଆସୁଛନ୍ତି। ଗତ ୨ଦିନ ଧରି ବର୍ଷା ଓ ପବନ ଲାଗି ରହିଥିବାରୁ ସୋରିଷ କ୍ଷେତର ବ୍ୟାପକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ଜମିରେ ପାଣି ଛିଡ଼ା ହୋଇଥିବାରୁ ୪ରୁ ୫ ଫୁଟ ଉଚ୍ଚର ଗଛଗୁଡିକରେ ସୋରିଷ ପାଚି ଆସୁଥିବାରୁ ତାହା କ୍ଷେତରେ ଲୋଟି ପଡିଥିବା ଦେଖିବାକୁ ମିଳିଛି।